
ବଡ଼ବିଲ/୧୪/୦୬ – କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତ, ଝାଡଗାଁରେ ପ୍ରେମିକାକୁ ହତ୍ୟା କରି ଜଙ୍ଗଲରେ ପୋତିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଂଗ୍ରାମର ଦୁଇ ସହଯୋଗୀକୁ ଆଜି ଗିରଫ କରିବା ସହ ଘଟଣାରେ ବ୍ୟବହୃତ ଏକ ମୋଟର ସାଇକେଲ ଜବତ୍ କରିଛି ବଡ଼ବିଲ ପୋଲିସ ।
ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି, ଝାଡଗାଁର ରାହୁଲ ନାଏକ ଓ କ୍ରିଷ୍ଣା ନାଏକ । ଉଭୟ ଅଭିଯୁକ୍ତ, ଯୁବତୀଙ୍କ ମୃତଦେହ ପୋତିବାରେ ମୁଖ୍ୟ ଅଭିଯୁକ୍ତ ସଂଗ୍ରାମ ଆଲଦାକୁ ସହଯୋଗ କରିଥିବା ଅଭିଯୋଗରେ ଏହି ଗିରଫଦାରୀ ହୋଇଥିବା ପୋଲିସ୍ କହିଛି । ୧୧ ମଇ ୨୦୨୬ରେ ହତ୍ୟାକାଣ୍ଡ ହୋଇଥିବାବେଳେ, ୨୬ ଦିନ ପରେ ଗତ ୭ ତାରିଖରେ ରଇଡ଼ା ଜଙ୍ଗଲର ଏକ ଖାଲରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର କରିବା ସହିତ ମୁଖ୍ୟ ଅଭିଯୁକ୍ତ ତଥା ଯୁବତୀଙ୍କ ପ୍ରେମିକ ସଂଗ୍ରାମ ଆଲଦାକୁ ପୋଲିସ୍ ଗିରଫ କରିବା ସହ ଘଟଣାର ଖୁଲାସା କରିଥିଲା ।

ଘଟଣା ଦିନ ସଂଗ୍ରାମ, ରାହୁଲ ଓ କ୍ରିଷ୍ଣା ମିଶି ନିଶାସେବନ କରିଥିଲେ। ପରେ ସଂଗ୍ରାମ ପ୍ରେମିକା ଅନୀତାଙ୍କ ସହ ଭେଟିବାକୁ ଯାଇଥିବାବେଳେ ଦୁଇ ସହଯୋଗୀ ଫୁଟବଲ ପଡ଼ିଆରେ ଅପେକ୍ଷା କରିଥିଲେ। କିଛି ସମୟ ପରେ ସଂଗ୍ରାମ ଫେରି ଆସି ଯୁବତୀକୁ ହତ୍ୟା କରିଥିବା କଥା ସେମାନଙ୍କୁ ଜଣାଇଥିଲା। ପରେ ୩ଜଣ ମିଶି ଘଟଣାସ୍ଥଳକୁ ଯାଇ ମୃତଦେହକୁ ପତ୍ର ଦ୍ୱାରା ଢାଙ୍କି ଦେଇ ପଳାଇଥିଲେ। ପରବର୍ତ୍ତୀ ସମୟରେ ହତ୍ୟାରେ ବ୍ୟବହୃତ ଛୁରୀକୁ କମାରଯୋଡା ଅଞ୍ଚଳରେ ଫିଙ୍ଗିଦେବା ସହିତ ରକ୍ତ ଲାଗିଥିବା ପୋଷାକକୁ ବଳିତା ଡ୍ୟାମରେ ପକାଇ ଦେଇଥିଲେ।

ଯୋଜନା ଅନୁଯାୟୀ ରାତିରେ ସଂଗ୍ରାମ ମୃତଦେହକୁ ବାଇକରେ ନେଇ ସିଦ୍ଧମଠ ଜଙ୍ଗଲକୁ ଯାଇଥିବା ବେଳେ ରାହୁଲ ଓ କୃଷ୍ଣା ମଧ୍ୟ ଏକ ବାଇକରେ ସେଠାକୁ ଯାଇ ସହଯୋଗ କରିଥିଲେ । ମୃତଦେହକୁ ଖାଲରେ ପକାଇ ପତ୍ର ଓ ମାଟି ପକାଇ ପୋତିଦେଇଥିଲେ ସେମାନେ ।
ରବିବାର, ସହଯୋଗୀ ରାହୁଲ ଓ କ୍ରିଷ୍ଣାଙ୍କୁ ପୋଲିସ ଗିରଫ କରିବା ପରେ ରାତିରେ କୋର୍ଟ ଚାଲାଣ କରିଛି।



