
ବଡ଼ବିଲ/୩୦/୦୫ – କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଅନ୍ତର୍ଗତ ଲଇଡ଼ାପଦା ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଲଇଡ଼ାପଦା ହଟିଂ କଲୋନୀର ୩୫ ବର୍ଷୀୟ ବିର୍ସା ମୁଣ୍ଡା।
ସୂଚନା ଅନୁସାରେ, ବନ ବିଭାଗର ବାରମ୍ବାର ଚେତାବନୀ ସତ୍ତ୍ବେ ଜଙ୍ଗଲ ନିକଟବର୍ତ୍ତୀ ଲୋକେ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଉଛନ୍ତି । ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ବିର୍ସା ମୁଣ୍ଡା ନାମକ ଏହି ଯୁବକ ନିକଟସ୍ଥ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲକୁ ଆମ୍ଭ ଗୋଟାଇବାକୁ ଯାଇଥିବାବେଳେ ଦନ୍ତା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ହାତୀଟି ହଠାତ୍ ଆକ୍ରମଣ କରି ଉଠାଇ ଫିଙ୍ଗି ଦେବା ସହ ତାଙ୍କ ଅଣ୍ଟାରେ ଦାନ୍ତ ଭୂଷି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବିର୍ସାଙ୍କର ମୃତ୍ୟୁ ଘଟିଥିଲା।

ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ ଓ ରୁଗୁଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ପରେ ମୃତଦେହକୁ ଯୋଡ଼ା ସ୍ଥିତ ଶବ ଗୃହକୁ ପଠାଯାଇଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।
ଆସନ୍ତାକାଲି ମୃତଦେହର ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଏହି ଘଟଣା ପରେ ଲଇଡ଼ାପଦା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।




