
TMH ଯୋଡ଼ା ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ: ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରୁ ୨୦ ୟୁନିଟ୍ ରକ୍ତ ସଂଗ୍ରହ
ଯୋଡ଼ା-୨୯/୯ : ହୃଦରୋଗ ସମ୍ବନ୍ଧୀୟ ସଚେତନତା ବୃଦ୍ଧି ତଥା ସମୟୋପଯୁକ୍ତ ଚିକିତ୍ସାର ଆବଶ୍ୟକତାକୁ ନେଇ ସ୍ଥାନୀୟ ଟାଟା ମେନ୍ ହସ୍ପିଟାଲ (TMH), ଯୋଡ଼ା ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପରିସର ସମେତ ଯୋଡ଼ା ଇଷ୍ଟ ଆଇରନ ମାଇନ୍, ଖଣ୍ଡବନ୍ଧ ଆଇରନ ମାଇନ୍ ଓ ଫେରୋ ଆଲଏଜ୍ ପ୍ଲାଣ୍ଟ ପରିସରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଚଳିତ ବର୍ଷ “କୌଣସି ସ୍ପନ୍ଦନ ଭୁଲନ୍ତୁ ନାହିଁ – ହୃଦୟକୁ ସୁରକ୍ଷା ଦିଅନ୍ତୁ, ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ” ଶୀର୍ଷକ ବିଷୟବସ୍ତୁକୁ ଆଧାର କରି ଟିଏମ୍ଏଚ୍ ଯୋଡ଼ାର ହେଡ୍ କନ୍ସଲ୍ଟାଣ୍ଟ ଡାକ୍ତର ତାପସ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଉପସ୍ଥିତ ସ୍ଵାସ୍ଥ୍ୟ ବିଶେଷଜ୍ଞମାନେ ହୃଦୟକୁ ସୁସ୍ଥ ରଖିବା ପାଇଁ ସ୍ୱାସ୍ଥ୍ୟକର ଜୀବନଶୈଳୀ, ନିୟମିତ ଶାରୀରିକ ବ୍ୟାୟାମ, ସନ୍ତୁଳିତ ଖାଦ୍ୟପେୟ ଏବଂ ସମୟୋଚିତ ସ୍ଵାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ୱାରୋପ କରି କର୍ମଚାରୀ ତଥା ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ତମାଖୁ ଓ ଧୂମପାନ ବର୍ଜନ କରିବା ଏବଂ ହୃଦରୋଗର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରି ତୁରନ୍ତ ଡାକ୍ତରୀ ସହାୟତା ନେବାକୁ ଆହ୍ୱାନ ଦିଆଯାଇଥିଲା।

ଅନ୍ୟପକ୍ଷରେ, ଅଞ୍ଚଳରେ ରକ୍ତର ଅଭାବ ଦୂର କରିବା ତଥା ଜରୁରୀକାଳୀନ ରୋଗୀମାନଙ୍କୁ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ ହସ୍ପିଟାଲ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଶିବିରରେ ବହୁ ସ୍ଥାନୀୟ ବାସିନ୍ଦା ଏବଂ ଟାଟା ଷ୍ଟିଲର କର୍ମଚାରୀମାନେ ଉତ୍ସାହର ସହ ରକ୍ତଦାନ କରିଥିଲେ। ଶିବିରରୁ ସମୁଦାୟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଏହି ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ରକ୍ତାଭାବ ସମସ୍ୟା ଦୂର କରିବାରେ ବେଶ୍ ସହାୟକ ହେବ ବୋଲି ଡାକ୍ତରୀ ଦଳ ଆଶା ପ୍ରକାଶ କରିଛନ୍ତି।




