
ମେଣ୍ଟ ପ୍ରସଙ୍ଗରେ ଏମିତି ମତ ରଖିଲେ ଭିକେ ପାଣ୍ଡିଆନ । କହିଲେ ଜିତିବା ପାଇଁ ଦୁଇ ଦଳକୁ ମେଣ୍ଟର ଆବଶ୍ୟକତା ନାହିଁ ।
ଭୁବନେଶ୍ୱର/୧୯/୦୩ – ମେଣ୍ଟ ନେଇ ମତ ରଖିଲେ ଫାଇବ୍ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ସରକାର ଗଠନ ପାଇଁ ଦୁଇ ଦଳକୁ ମେଣ୍ଟର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ପାଣ୍ଡିଆନ । ଦେଶରେ ନରେନ୍ଦ୍ର ମୋଦି ଓ ରାଜ୍ୟରେ ନବୀନ ପଟ୍ଟନାୟକ ବିଜୟ ଲାଭ କରିବେ । ତେବେ ଦୁଇ ମହାନ ନେତା ରାଷ୍ଟ୍ରର ବୃହତ୍ତର ସ୍ବାର୍ଥ ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହୁଁଛନ୍ତି ।
ରାଜ୍ୟରେ ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟକୁ ନେଇ ଆଜିବି ସସପେନ୍ସ ଜାରି ରହିଥିବାବେଳେ, ବିଜେଡିର ଦ୍ୱିତୀୟ କ୍ଷମତାଶାଳୀ ନେତା ଭି କେ ପାଣ୍ଡିଆନ ମେଣ୍ଟକୁ ନେଇ ସିଧାସଳଖ କିଛି ପ୍ରତିକ୍ରିୟା ରଖିନାହାନ୍ତି। ମେଣ୍ଟକୁ ନେଇ ଯାହା କିଛି ହେବ ତାହା ସମସ୍ତେ ଜାଣିବା ବୋଲି ସି ଏନ୍ ଏନ୍ ନ୍ୟୂଜ୍ ଏଇଟିନ୍ ଦ୍ୱାରା ଅନୁଷ୍ଠିତ ରାଇଜିଂ ଇଣ୍ଡିଆ ମଞ୍ଚରେ ଯୋଗ ଦେଇ ନିଜର ମତ ରଖିଛନ୍ତି ଭିକେ ପାଣ୍ଡିଆନ।
ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ପାଣ୍ଡିଆନ କହିଛନ୍ତି ଯେ, ବିଜେଡି ଓଡ଼ିଶାରେ ସରକାର ଗଢ଼ିବାକୁ ବିଜେପିର ସହଯୋଗ ଆବଶ୍ୟକ ନାହିଁ କିମ୍ବା ବିଜେପି କେନ୍ଦ୍ରରେ ସରକାର ଗଢ଼ିବା ପାଇଁ ବିଜେଡିର ସହାୟତା ଲୋଡ଼ି ନପାରେ । ନବୀନ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଓ ମୋଦୀ ଦେଶର ପ୍ରଧାନମନ୍ତ୍ରୀ ।ଦୁଇ ଜଣଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ରହିଛି । ରାଜନୀତି ଉଦ୍ଧ୍ୱର୍ରେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଦୁଇ ବନ୍ଧୁ ଏକାଠି ହୋଇପାରନ୍ତି ।
ଏହି ସାକ୍ଷାତକାରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବାରା ବିଶେଷ ଭାବରେ ଅନୁପ୍ରାଣିତ ଏବଂ ତାଙ୍କୁ ନିଜର ଗୁରୁ ବୋଲି କହିଛନ୍ତି । ଗଣତାନ୍ତ୍ରିକ ଉପାୟରେ ସବୁଠାରୁ ଅଧିକଥର ଜିତିଥିବା ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ତାଙ୍କର ସଫଳତା ଅତୁଳନୀୟ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ ।
ନିର୍ବାଚନ ଲଢିବା ସମ୍ପର୍କରେ ଉତ୍ତର ରଖି ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି । ତେଣୁ ମଇଦାନକୁ ଓହ୍ଲାଇବାକୁ ଚାହୁଁନି । ମୁଁ କେବଳ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ନେଇ କାମ କରୁଛି ।
ଅନ୍ୟପଟେ ବିଜେପିର ବରିଷ୍ଠ ବିଧାୟକ ପ୍ରଦୀପ କୁମାର ନାଏକ ମିଡିଆକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେପି ଏକାକୀ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛି । ମେଣ୍ଟ ନିଷ୍ପତ୍ତି ରାଜ୍ୟ ଶାଖା କରିପାରିବ ନାହିଁ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚାହିଁଲେ ମେଣ୍ଟ ହୋଇପାରେ ।
ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ସମ୍ଭାବ୍ୟ ମେଣ୍ଟକୁ ନେଇ ଗତ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଚର୍ଚ୍ଚା ଚାଲିଥିଲେ ସୁଦ୍ଧା ଉଭୟ ଦଳର ଶୀର୍ଷ ନେତୃତ୍ୱ ଆଭିମୁଖ୍ୟ ସ୍ପଷ୍ଟ ନାହାନ୍ତି। ଯେଉଁଥିପାଇଁ ମେଣ୍ଟକୁ ନେଇ ଉଭୟ ଦଳର ନେତା ଓ କର୍ମୀ ଦ୍ୱନ୍ଦ୍ୱ ଭିତରେ ରହିଛନ୍ତି ।