
ଯୋଡ଼ା, ୩୦/୦୪ – ଦୀର୍ଘ ୩୭ବର୍ଷ ଧରି ସଫଳତାର ସହ ନିଜ କାର୍ଯ୍ୟ ପ୍ରତିପାଦିତକରି ସମଗ୍ର ଯୋଡ଼ା ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇପାରିଥିବା ‘ଯୋଡ଼ା ମହିଳା ମହାବିଦ୍ୟାଳୟ’ର ଅଧ୍ୟକ୍ଷା ଡଃ ମୃଦୁଳା ମହାନ୍ତିଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ମହିଳା ମହାବିଦ୍ୟାଳୟ’ର ସଭା ଗୃହରେ ଅନୁଷ୍ଠିତ ବିଦାୟୀକାଳୀନ ସଭାକୁ କଲେଜର ଅଧ୍ୟାପକ ପବିତ୍ର ମୋହନ କର ପରିଚାଳନା କରିଥିବାବେଳେ ବରିଷ୍ଠ ଅଧ୍ୟାପିକା ଗୀତା ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ ।
କଲେଜର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ, ରୋଟାରିଆନ ବିକାଶ କୁମାର ମହାନ୍ତି, ରୋଟାରିଆନ ଜିତେନ୍ଦ୍ର କୁମାର ବୈଦ୍ୟଙ୍କ ସମେତ କଲେଜର ଶୈକ୍ଷିକ ଏବଂ ଅଣଶୈକ୍ଷିକ କର୍ମଚାରୀଙ୍କ ସହିତ ଯୋଡ଼ା ଅଞ୍ଚଳର ବହୁ ମାନ୍ଯଗଣ୍ଯ ବ୍ଯକ୍ତି, ବୁଦ୍ଧିଜୀବୀ ଯୋଗଦେଇ ବିଦାୟୀ ଅଧ୍ୟକ୍ଷାଙ୍କୁ ଶୁଭେଛା ଓ କୃତଜ୍ଞତା ଜଣାଇଥିଲେ ।

କଲେଜର ପ୍ରତିଷ୍ଠାତା ଜିତୁ ପଟ୍ଟନାୟକ, ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଅନୀଲ କୁମାର ଦାଶ, ଆଇନଜୀବୀ ସୂର୍ଯ୍ୟକାନ୍ତ ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ପ୍ରକାଶ କୁମାର ମହାନ୍ତି, ସାରଦା ପ୍ରସନ୍ନ ଆଚାର୍ଯ୍ଯ ପ୍ରମୁଖ ନିଜର ମୂଲ୍ୟବାନ ବକ୍ତବ୍ଯ ରଖି ଅଧ୍ୟକ୍ଷା ଡଃ ମୃଦୁଳା ମହାନ୍ତିଙ୍କ କକର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହ ଶିକ୍ଷାଦାନରେ ଅବସର ନାହିଁ ବୋଲି କହିଥିଲେ । ଯୋଡ଼ା ସହର ପ୍ରତି ତାଙ୍କର ସମର୍ପଣ ଭାବନା ଓ ଭଲପାଇବା ସଦା ସର୍ବଦା ଅଭୁଲା ହୋଇରହିବ ବୋଲି କହିଥିଲେ ।
ଏହିଠାରେ ଅଧ୍ୟାପିକା ଭାବେ କର୍ମମୟ ଜୀବନ ଆରମ୍ଭକରି ଦୀର୍ଘ ୩୬ ବର୍ଷ ଶିକ୍ଷାଦାନ କରିବା ସହ ବିଭିନ୍ନ ସାମାଜିକ, ସାଂସ୍କୃତିକ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଗୁଡ଼ିକରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତହୋଇ ରହିଥିଲେ ଡଃ ମୃଦୁଳା । ସେ ଆଜି ଅବସର ଗ୍ରହଣ କରିଥିବାରୁ ଏକ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

ତାଙ୍କ ବିଦାୟକାଳୀନ ସମ୍ଭାଷଣରେ ସମସ୍ତଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ ନିଜର ଅନୁଭୂତି ବଖାଣିବା ସମୟରେ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ । କଲେଜରେ ଶିକ୍ଷାଦାନ କ୍ଷେତ୍ରରେ ସମସ୍ତଙ୍କୁ ଯତ୍ନବାନ ହୋଇ ଆହୁରି ଆଗକୁ ଆଗେଇ ନେବାକୁ ସେ କହିଥିଲେ ।
ଏହି ଅବସରରେ ‘ଯୋଡ଼ା ଉତ୍କଳ ଦିବସ ଆୟୋଜନ ସମିତି’ ତରଫରୁ ଉପସଭାପତି ପ୍ରକାଶ କୂମାର ମହାନ୍ତି ସଂପାଦକ ବେଣୁଧର ବେହେରା ଓ ମାନସ ମହାନ୍ତି ପ୍ରମୁଖ ବିଦାୟୀ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଇନଜୀବୀ ସୂର୍ଯ୍ୟକାନ୍ତ ତ୍ରିପାଠୀ ମଧ୍ୟ ମୃଦୁଳାଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ସେହିପରି କଲେଜର କର୍ମଚାରୀମାନଙ୍କ ତରଫରୁ ବିଦାୟୀ ଅଧ୍ୟକ୍ଷାଙ୍କୁ ଏକ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ପରିଶେଷରେ ଅଧ୍ୟାପକ ବିଭୂତି ଭୂଷଣ ମହାନ୍ତି ଧନ୍ଯବାଦ ଅର୍ପଣ କରିଥିଲେ ।
