
କେନ୍ଦୁଝର, ୨୭/୦୪ – କେନ୍ଦୁଝର ପୋଲିସକୁ ବଡ଼ ସଫଳତା। କେନ୍ଦୁଝର ଜିଲା ସମେତ ୪ ଟି ଜିଲ୍ଲାରେ ୨୮ଟି ବଡ଼ ଡ଼କାୟତି ଘଟଣାର ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବରକୁ ପୋଲିସ୍ ଗିରଫ କରିଛି । ତା’ଠାରୁ ଏକ ପିସ୍ତଲ ,ଗୋଟିଏ ବୋଲେରୋ , ଗୋଟିଏ ମୋଟର ସାଇକେଲ ସହ ଏକ ଛୁରା, ୧୪ଟି ସୁନା ଲକେଟ୍ ଓ ୫୦୦ ଗ୍ରାମର ରୂପା ଗହଣା ଜବତ୍ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ଦାଶରଥୀର ଘର ବାମେବାରୀ ଥାନା ଅନ୍ତର୍ଗତ ଧନୁର୍ଜୟପୁର ଅଞ୍ଚଳରେ ।
ଗତବର୍ଷ ଅକ୍ଟୋବର ମାସ ୧୮ ତାରିଖରେ ଡକାୟତ ଦାଶରଥି ଧୀବରଙ୍କ ନେତୃତ୍ୱରେ ୬ ଜଣ ଡ଼କାୟତ ଦଳ ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ଠାରେ ଥିବା ସ୍ୱପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ବନ୍ଧୁକ ମୁନରେ ନଗଦ ୪ଲକ୍ଷ ଟଙ୍କା ଏବଂ ଲାପଟପ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ। ଏହି ମାମଲାରେ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ପୂର୍ବରୁ ଗ୍ୟାଙ୍ଗର ୫ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ଘଟଣାର ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବର ଫେରାର ରହିଥିଲା।
ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ନାଏକ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସଦର ଏସଡିପିଓ ମହେନ୍ଦ୍ର ମୂର୍ମୁ, ନାୟାକୋଟ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।