
ଭୁବନେଶ୍ୱର/୧୮/୦୪ – ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡ଼ି ନେତା ତଥା ଯୋଡ଼ା ପୌରପରିଷଦର ପୂର୍ବତନ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଦାସ ( ଆର୍ କେ ଦାସ) ଆଜି ପଦ୍ମ ଧରିଛନ୍ତି । ଗୁରୁବାର ଅପରାହ୍ନରେ ନିଜର କିଛି ଖାସ୍ ସମର୍ଥକଙ୍କ ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି । ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ମୁରଲୀ ଶର୍ମାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । ରବୀନ୍ଦ୍ରଙ୍କ ସହ ଶୈଳେନ୍ଦ୍ର ଜୋରା, ମହେନ୍ଦ୍ର ମହାପାତ୍ର (ଲୁଲୁ) ବାବୁ ଖାନ୍ ଓ ଯୋଡ଼ା ଅଞ୍ଚଳର ଆଉକିଛି ବ୍ୟକ୍ତି ପଦ୍ମ ପୋଖରୀରେ ବୁଡ଼ ପକାଇଛନ୍ତି ।
ଗତ ପୌର ନିର୍ବାଚନରେ ଆର୍ କେ ଦାସ ବିଜେଡି ଟିକେଟ ଆଶାୟୀ ରହିଥିଲାବେଳେ, ଦଳ ତାଙ୍କୁ ଟିକେଟ ନଦେଇ ଡ. ଜଗଦୀଶ ପ୍ରସାଦ ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଯାହା ଫଳରେ ସେ ବିଦ୍ରୋହୀ ସାଜି ସ୍ଵାଧୀନ ଭାବରେ ନିର୍ବାଚନ ଲଢିଥିଲେ । ଏଥିସହ ସେ ଦଳରୁ ଇସ୍ତଫା ଦେଇଥିଲାବେଳେ, ପାର୍ଟି ତାଙ୍କୁ ନିଲମ୍ବନ କରିଥିଲା । ତେବେ ପୌର ନିର୍ବାଚନରେ ସେ ବିଜେଡିକୁ କଡ଼ା ଟକ୍କର ଦେଇ ପରାଜୟ ବରଣ କରିଥିଲେ ।
