ରାଜନୀତିରାଜ୍ୟ

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ମେ’୧୩ରେ । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ହେବ ମତଗ୍ରହଣ । 

ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ । ଏପ୍ରିଲ ୨୬ରେ ନାମାଙ୍କନ ପତ୍ର ଯାଞ୍ଚ ଓ ଏପ୍ରିଲ ୨୯ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ । 

ବ୍ୟୁରୋ/୧୮/୦୪ – ଦେଶରେ ୭ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ୨୦୨୪ ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୦୨ ସିଟ୍ ପାଇଁ ଭୋଟ୍ ପଡ଼ିବାକୁ ଥିବାବେଳେ, ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ’ ୧୩ ତାରିଖରେ ଦେଶର ଚତୁର୍ଥ ଏବଂ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯିବ ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏପ୍ରିଲ ୨୫ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ଏପ୍ରିଲ ୨୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଓ ଏପ୍ରିଲ ୨୯ ତାରିଖ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।

ଏଥିରେ ଓଡ଼ିଶାର ୪ଟି ସଂସଦୀୟ କ୍ଷେତ୍ର କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଗ୍ରହଣ କରାଯିବ।

କୋରାପୁଟ ଲୋକସଭା କ୍ଷେତ୍ରର ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ଓ ଜୟପୁର ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସେହିପରି ଗୁଣୁପୁର, ବିଷମକଟକ, ରାୟଗଡ଼ା ଓ କୋରାପୁଟ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟର ନିଜର ମତ ସାବ୍ୟସ୍ତ କରିପାରିବେ ।

କଳାହାଣ୍ଡି ଲୋକସଭା କ୍ଷେତ୍ର ଅଧିନରେ ଥିବା ନୂଆପଡ଼ା, ଖଡ଼ିଆଳ, ଲାଂଜିଗଡ଼ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଏବଂ ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, ନର୍ଲାରେ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣହେବ ।

ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ଉମରକୋଟ, ଝରିଗାଁ, ଡାବୁଗାଁ ଓ ନବରଙ୍ଗପୁର ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ୪ଟା ଯାଏଁ ଏବଂ କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି ।

ସେହିପରି ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଗୋପାଳପୁର, ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି, ପାରଳାଖେମୁଣ୍ଡି, ଓ ଚିକିଟିରେ ସକାଳ ୭ଟାରୁ ସଂଧ୍ୟା ୬ଟା ରେ ମତ ଗ୍ରହଣ ହେବାକୁ ଥିବା ବେଳେ, ମୋହନା ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ ଗ୍ରହଣହେବ ବୋଲି ଜଣାଯାଇଛି ।

Show More

Related Articles

Back to top button