
ଘଟଣାସ୍ଥଳରୁ ଟ୍ରେଲର ଡ୍ରାଇଭର ଫେରାର ।
ଚମ୍ପୁଆ/୦୭/୦୪ – ଚମ୍ପୁଆ ନିକଟସ୍ଥ ଜଇନ୍ତଗଡ ହାଇସ୍କୁଲ ସମ୍ମୁଖ ଜାତୀୟ ରାଜପଥ ୨୦ରେ ଏକ ଟ୍ରକ ଓ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ଖବର ଅନୁସାରେ, ରବିବାର ଦିନ ପ୍ରାୟ ୨.୩୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଛି । ଏକ ବାର ଚକିଆ ଟ୍ରକ ଚାଇବାସାରୁ ଜଇନ୍ତଗଡ ପଟକୁ ଆସୁଥିବା ବେଳେ, ବିପରୀତ ଦିଗରୁ ଆସୁଥିବା ଏକ ଟ୍ରେଲର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଯୋରଦାର ଥିଲା ଯେ, ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚୁର୍ମାର ହୋଇଯାଇଥିଲା । ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ଗୋଟିଏ ଗୋଡ ଭାଙ୍ଗି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଘଟଣା ପରେ ଟ୍ରେଲର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା କୁହାଯାଉଛି । ର୍ଦୁଘଟଣା ଯୋଗୁଁ ରାଜପଥରେ ବହୁ ସମୟ ଧରି ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ଖବର ପାଇ ଜଗନ୍ନାଥପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ କ୍ରେନ୍ ଯୋଗେ ହଟାଇବା ପରେ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।



