
ଯୋଡ଼ା/୭/୪ – ଆଗକୁ ଆସୁଛି ରାମନବମୀ ଏବଂ ଇଦ୍ ଉଲ୍ ଫିତର୍ । ଏଥିପାଇଁ ଉଭୟ ରାମ ନବମୀ ଆଖଡ଼ା କମିଟି ଏବଂ ଇଦ୍ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହା ସହ ଉଭୟ ଉତ୍ସବ ଶାନ୍ତି ଶୃଙ୍ଖଳା ସହ ପାଳନ ଲାଗି ପ୍ରଶାସନିକ ସ୍ତରରେ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି। ରବିବାର ପୂର୍ବାହ୍ନରେ ଯୋଡ଼ା ପୌରପାଳିକା ସଭାଗୃହରେ ଏକ ଶାନ୍ତି କମିଟି ବୈଠକ ହୋଇଥିଲା। ବଡବିଲ ଏସଡିପିଓ ପ୍ରୀୟସ ରଞ୍ଜନ ଛୋଟରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯୋଡ଼ା ଥାନା ଆଇଆଇସି ଲୋକେଶ ସାହୁ, ଯୋଡ଼ା ପୌରାଧକ୍ଷ ଡ. ଜଗଦୀଶ ପ୍ରସାଦ ସାହୁ, ପୌର ପାଳିକା ନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁ, ଅତିରିକ୍ତ ତହସିଲଦାରଙ୍କ ସହ ଶାନ୍ତି କମିଟି ସଦସ୍ୟମାନେ ଯୋଗ ଦେଇଥିଲେ।
ଯୋଡ଼ା ଥାନା ଆଇଆଇସି, ବିଭିନ୍ନ କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ରାମ ନବମୀ ପାଳନ ସଂକ୍ରାନ୍ତରେ ବିଭିନ୍ନ ବିଷୟରେ ଆଲୋଚନା କରଯାଇଥିଲା। ଚଳିତ ବର୍ଷ କମିଟିର ଶୋଭାଯାତ୍ରା ସହରରେ ବାହାରିବାକୁ ଥିବାବେଳେ ଇଦରେ ୩ଟି ସ୍ଥାନରେ ନମାଜ଼ ପାଠ ହେବ। ଶାନ୍ତି ଶୃଙ୍ଖଳା ସହ ଇଦ୍ ଏବଂ ରାମନବମୀ ପାଳନ ପାଇଁ ପ୍ରଶାସନ ଏବଂ ଶାନ୍ତି କମିଟି ପକ୍ଷରୁ ନିବେଦନ କରାଯାଇଛି।
