
ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତ ଯୁବ, ଛାତ୍ର ସଂକଳ୍ପ ନେଇ ମୁଖିଆଙ୍କ ହାତକୁ ଟାଣ କରିବାକୁ କଲେ ନିବେଦନ ।
ପାଟଣା/୦୬/୦୩ – ବିଜୁ ଜନତା ଦଳର କେନ୍ଦୁଝର ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଆଜି ପାଟଣା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଶନିବାର ସିଙ୍ଘମାଞ୍ଜୁଣି ଠାରେ ପହଁଞ୍ଚିବା ପରେ ଦଳୀୟ କର୍ମୀ ମାନେ ପୁଷ୍ପମାଲ୍ୟ ଦେଇ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହାପରେ ସେ ପାଟଣା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଆସି ଝୁମ୍ପୁରା ବ୍ଲକ ଭଖୁଣ୍ଡା ପଞ୍ଚାୟତର ସିଙ୍ଗମାଜୁଣୀ ଆମ୍ବ ତୋଟା ଠାରେ ପହଞ୍ଚିଥିଲେ । ସେଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଯୁବ ଛାତ୍ର ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ । ଝୁମ୍ପୁରା ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଇଂ ହରିଭକ୍ତ କୁନା ଗିରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଂକଳ୍ପ ସମାବେଶରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ଯୋଗଦାନ କରି କହିଥିଲେ, ‘ସଂପ୍ରତି ରାଜ୍ୟ ସରକାର ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଗମନାଗମନ, ଶିଶୁ ବିକାଶ, ନିଯୁକ୍ତି, ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିକାଶ କରିଚାଲିଛନ୍ତି’। ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସମସ୍ତ ଯୁବ ଛାତ୍ର ସଂକଳ୍ପ ନେଇ ମୁଖିଆଙ୍କ ହାତକୁ ଟାଣ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ।

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତକୁ ଅଧିକ ମଜଭୁତ କରିବା ପାଇଁ ଯୁବଶକ୍ତିମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯୁବ, ଛାତ୍ର ରାଜ୍ୟରେ ଡବଲ ଶଙ୍ଖ ବଜାଇ ରାଜ୍ୟ ବିକାଶରେ ସହାୟକ ହେବେ ବୋଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ପାଟଣା ନିର୍ବାଚନ ମଣ୍ଡଳ ର ପର୍ଯ୍ୟବେକ୍ଷକ ଡଃ ହରିଶ ଚୌଧୁରୀ, ନିର୍ବାଚନ ମଣ୍ଡଳୀ ସଂଯୋଜକ କାନୁନ୍ ବିହାରୀ ପହି, କୃଷକ ଜିଲ୍ଲା ସଭାପତି ଦୀପକ ରାଜ, ବରିଷ୍ଠ କାର୍ଯ୍ୟକର୍ତ୍ତା ଭବାନୀ ଶଙ୍କର ନାୟକ, ଉତ୍ତର ଓଡ଼ିଶା ଜୋନର ସାଧାରଣ ସମ୍ପାଦକ ଦୀପକ ମଣ୍ଡଳ, ଛାତ୍ର ସାଧାରଣ ସଂପାଦକ ସୈମ୍ୟଶଙ୍କର ରାଉତ, ପାଟଣା ଯୁବ ସଭାପତି ରଘୁବର ମହାନ୍ତ, ସତ୍ୟନାରାୟଣ ପଣ୍ଡା ପ୍ରମୁଖ ମଞ୍ଚାସିନ ରହି ଯୁବ ଛାତ୍ରମାନଙ୍କୁ ରାଜ୍ୟ ସରକାରଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ବାନ ଦେଇଥିଲେ। ଏହି ଯୁବ ଛାତ୍ର ସଂକଳ୍ପ ସମାବେଶରେ ପାଟଣା ନିର୍ବାଚନ ମଣ୍ଡଳୀର ୫୬ ଟି ପଞ୍ଚାୟତର ହଜାର ହଜାର ସଂଖ୍ୟାରେ ଯୁବକ, ଛାତ୍ର ଉପସ୍ଥିତ ଥିଲେ।
