
ବ୍ଲକ ଶିକ୍ଷାଧିକାରୀଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ, ବନ୍ଧୁଙ୍କ ଠାରୁ ଟଙ୍କା ଠକିନେଲେ ହ୍ୟାକର ।
ପାଟଣା/୦୧/୦୪ – କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ ଫେସବୁକ ଏକାଉଣ୍ଟକୁ ହ୍ୟାକ୍ । ହାଜର ତାଙ୍କ ନାମରେ ସୋସିଆଲ ମିଡିଆ ବନ୍ଧୁଙ୍କ ଠାରୁ ଠକିନେଲେ ଟଙ୍କା । ଏହି ଖବର ହେଉଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ।

ବ୍ଲକ୍ ଶିକ୍ଷା ଅଧିକାରୀ ଉତ୍ତମ କୁମାର ନାୟକଙ୍କ ଫେସବୁକ ଏକାଉଣ୍ଟକୁ ହ୍ୟାକ୍ କରି ତାଙ୍କ ଫେସବୁକ ମେସେଞ୍ଜର ମାଧ୍ୟମରେ ବନ୍ଧୁମାନଙ୍କୁ ଟଙ୍କା ସାହାଯ୍ୟ ମାଗିଥିଲେ। ହ୍ୟାକରଙ୍କ ଅନୁରୋଧକୁ ବ୍ଲକ ଶିକ୍ଷାଧିକାରୀଙ୍କ ଅନୁରୋଧ ଭାବି ଘସିପୁରା ଅଞ୍ଚଳର ଜନୈକ ଶିକ୍ଷକ ପ୍ରଥମେ ୧୫ ହଜାର ଟଙ୍କା ଓ ପରେ ୩ ହଜାର ଟଙ୍କା ଏହିପରି ୧୮ ହଜାର ଟଙ୍କା ଅନଲାଇନରେ ପଠାଇଥିଲେ । ତେବେ ଟଙ୍କା ପଠାଇଛି ବୋଲି ସେ ଫୋନ ଯୋଗେ ଶିକ୍ଷା ଅଧିକାରୀ ଉତ୍ତମ କୁମାର ନାୟକଙ୍କୁ ଜଣାଇବା ପରେ ଘଟଣା ଜଣା ପଡ଼ିଥିଲା । ତାଙ୍କ ଫେସବୁକ ଆକାଉଣ୍ଟକୁ କେହି ହ୍ୟାକ୍ କରିଥିବା ଜାଣିବାକୁ ପାଇଥିଲେ ଶିକ୍ଷା ଅଧିକାରୀ । ଏହାପରେ ତାଙ୍କ ଫେସବୁକ ହ୍ୟାକ ହୋଇଥିବା ନେଇ ସେ ନିଜ ଫେସବୁକ ଏକାଉଣ୍ଟ ଜରିଆରେ ସୂଚନା ଦେବା ସହ କେହି ଠକାମୀର ଶିକାର ନହେବାକୁ ସୂଚନା ଦେଇଥିଲେ । ଅଦୃଶ୍ୟ ହ୍ୟାକର୍, ଶ୍ରୀ ନାୟକଙ୍କ ଫେସବୁକରେ ଫ୍ରେଣ୍ଡ ଥିବା ଶିକ୍ଷକ, ସମ୍ପର୍କୀୟ, ବନ୍ଧୁ ବାନ୍ଧବ ଏପରିକି ଗଣ ମାଧ୍ୟମ ପ୍ରତିନିଧିଙ୍କୁ ମେସେଞ୍ଜର ମାଧ୍ୟମରେ ଟଙ୍କା ସାହାଯ୍ୟ ମାଗିଥିଲେ । ତେବେ ଘଷିପୁରା ଅଞ୍ଚଳର ଜନୈକ ଶିକ୍ଷକ, ଶିକ୍ଷା ଅଧିକାରୀଙ୍କୁ ସାହାଯ୍ୟ କରିବାକୁ ଯାଇ ୧୮ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ।
