
ଉଜ୍ଜୈନ ମହାକାଳେଶ୍ୱର ମନ୍ଦିରରେ ବଡ଼ ଅଘଟଣ, ଭସ୍ମ ଆରତୀ ସମୟରେ ଅଗ୍ନିକାଣ୍ଡ ଘଟି ୧୩ ଗୁରୁତର ।

ଉଜ୍ଜୈନ/୨୫/୦୩ – ସୋମବାର ମଧ୍ୟ ପ୍ରଦେଶର ଉଜ୍ଜୈନ ସ୍ଥିତ ମହାକାଳେଶ୍ୱର ମନ୍ଦିରରେ ବଡ଼ ଅଘଟଣ, ଭସ୍ମ ଆରତୀ ସମୟରେ ଗର୍ଭ ଗୃହରେ ଅଗ୍ନିକାଣ୍ଡ ଘଟିବାରୁ ପୁରୋହିତଙ୍କ ସମେତ ୧୩ ଜଣ ପୋଡ଼ିହୋଇ ଗୁରୁତର ହୋଇଛନ୍ତି ।
ପ୍ରାଥମିକ ସୂଚନାନୁସାରେ, ଗର୍ଭ ଗୃହରେ ଭସ୍ମ ଆରତୀ ସମୟରେ ରଙ୍ଗ ଅବିର ପକାଇବା ଫଳରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିର ଭିତରେ ଉପସ୍ଥିତ ରହିଥିଲେ। ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ସେମାନଙ୍କୁ ଚିକିତ୍ସା ପାଇଁ ଇନ୍ଦୋରକୁ ପଠାଯାଇଛି। ସେପଟେ ଅନ୍ୟ ଆହତଙ୍କୁ ଉଜ୍ଜୈନ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କୁହାଯାଉଛି ଯେ, ଅବିରରେ କିଛି ରସାୟନିକ ପଦାର୍ଥ ଥାଇପାରେ ଯେଉଁଥିପାଇଁ ନିଆଁ ଲାଗିଯାଇଥିଲା। ତେବେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ।
ଦୁର୍ଘଟଣାର କିଛି ସମୟ ପରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା। ଆହତମାନଙ୍କ ମଧ୍ୟରୁ କେତେକଙ୍କୁ ଚିହ୍ନଟ କରାଯାଇଛି । ଭସ୍ମ ଆରତୀ ସମୟରେ ସେଠାରେ ଉପସ୍ଥିତ ଥିବା ସଞ୍ଜୀବ ପୂଜାରୀ, ବିକାଶ, ମନୋଜ, ସେବାଧାରୀ ଆନନ୍ଦ ଏବଂ କମଲ ଯୋଶୀ ପୋଡ଼ି ଯାଇଥିଲେ ବୋଲି ଜଣା ଯାଇଛି । ଉଜ୍ଜୈନ କଲେକ୍ଟର ନୀରଜ ସିଂ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କଲେକ୍ଟର ନୀରଜ ସିଂ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କ ସମ୍ପର୍କରେ ପଚାରି ବୁଝିଥିଲେ । ଉନ୍ନତ ଚିକିତ୍ସା ପାଇଁ ଏଠାରେ ସେ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
