
ପ୍ରଭାବଶାଳୀଙ୍କ କବଜାରେ ପାନୀୟ ଜଳ ପ୍ରକଳ୍ପ, ବଞ୍ଚିତ ହିତାଧିକାରୀ !
ଚମ୍ପୁଆ/୧୫/୦୩ – ଗ୍ରାମ ବିକାଶ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଗାଁରେ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି ସାତ, ହେଲେ ବିଭାଗୀୟ ଅବହେଳା ଯୋଗୁଁ ଏହି ପ୍ରକଳ୍ପର ସୁବିଧା ଗ୍ରାମର ହିତାଧିକାରୀ ପାଇପାରୁ ନଥିବାବେଳେ, କିଛି ପ୍ରଭାବଶାଳୀ ବ୍ୟକ୍ତି ଏହାର ଫାଇଦା ଉଠାଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ, ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ବାଙ୍କିଆ ଗ୍ରାମରେ । ନିକଟରେ ଗ୍ରାମବାସୀଙ୍କ ସୁବିଧା ପାଇଁ ନିର୍ମିତ ଓଭରହେଡ୍ ପାଣିଟାଙ୍କି ଏବେ କିଛି ପ୍ରଭାବଶାଳୀ ବ୍ୟକ୍ତି ବ୍ୟକ୍ତିଗତ ଭାବରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ବୋରୱେଲର ସୁବିଧା ହୋଇ ନ ପାରିବାରୁ ନିକଟସ୍ଥ ବୈତରଣୀ ନଦୀରୁ ପାଇପଯୋଗେ ଓଭରହେଡ୍ ଟାଙ୍କିକୁ ପାଣି ଉଠାଯାଇ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯିବା ସହ ଏହାର ସୁପରିଚାଳନା ନିମନ୍ତେ ଗ୍ରାମବାସୀଙ୍କ ସହଯୋଗରେ ଏକ କମିଟି ଗଠନ କରାଯାଇ ଦାଇତ୍ୱ ନ୍ୟସ୍ତ କରାଯାଇଥିଲା । ତେବେ ଦୀର୍ଘ ଏକ ବର୍ଷ ଧରି ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ଦେୟ ନ ଦେବାରୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଦିଆଗଲା । ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ଫଳରେ ପ୍ରକଳ୍ପଟି ଅଚଳ ହୋଇଗଲ ଏବଂ ଗ୍ରାମବାସୀ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନହେଲେ । ତେବେ ସୁଯୋଗ ଦେଖି ଗ୍ରାମର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ନିଜର ସ୍ବାର୍ଥ ସାଧନ ପାଇଁ ବିଦ୍ୟୁତ୍ ବିଭାଗର କିଛି ତଳିଆ କର୍ମଚାରୀଙ୍କୁ ହାତ କରି ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ୍ ଲାଇନକୁ ସଂଯୋଗ କରାଇ ଟାଙ୍କିରେ ପାଣି ଲୋଡ୍ କରିବା ସହ ନିଜ ନିଜ କାମରେ ଲଗାଉଥିବା ଅଭିଯୋଗ ହୋଇଛି । ଏହା ଫଳରେ ଗ୍ରାମରେ ପୁଞ୍ଜିଭୂତ ଅସନ୍ତୋଷ ଦେଖାଦେଇଛି । ଗ୍ରାମର ସାଧାରଣ ଲୋକେ ପାଣି ପାଉ ନ ଥିବାବେଳେ କେବଳ ମାତ୍ର ହାତ ଗଣତି କିଛି ବ୍ୟକ୍ତି ଏହାର ଫାଇଦା ଉଠାଇ ବ୍ୟବହାର କରି ଚାଲିଛନ୍ତି । ଏ ବାବଦରେ ବିଦ୍ୟୁତ୍ ବିଭାଗର ସହକାରୀ ଯନ୍ତ୍ରୀ ସରୋଜ ମହାପାତ୍ରଙ୍କୁ ଯୋଗାଯୋଗ କରାଯିବାରୁ ବିଦ୍ୟୁତ୍ ଦେୟ ବାକି ଥିବାରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା କହୁଥିବାବେଳେ, ପାନୀୟ ଜଳ ବିଭାଗର କନିଷ୍ଠ ଯନ୍ତ୍ରୀ କରନ ସୋରେନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହା ଏକ ସାମୁହିକ ପ୍ରକଳ୍ପକୁ ଯଦି କିଏ ନିଜସ୍ଵ ଭାବେ
ବ୍ୟବହାର କରୁଅଛି ତା’ ହେଲେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।