

ବଡ଼ବିଲ/୧୧/୦୭ – ବଡ଼ବିଲ ପୋଲିସକୁ ବଡ଼ ସଫଳତା । ଛିନତାଇ ଓ ଲୁଟ୍ ଗ୍ୟାଙ୍ଗର ୩ ସଦସ୍ୟଙ୍କ ସମେତ ୨ ଜୁଏଲାରୀ ଦୋକାନୀଙ୍କୁ ଗିରଫ୍ କରିଛି ପୋଲିସ୍ । ଏମାନଙ୍କ ନିକଟରୁ ୨୯. ୫୩୦ ଗ୍ରାମର ସୁନା ଅଳଙ୍କାର, ୩ କେଜି ୬୮୧ ଗ୍ରାମ ରୂପା ଅଳଙ୍କାର ଓ ଗୋଟିଏ ବାଇକ୍ ଜବତ୍ ହୋଇଛି ।

ଗିରଫ ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ପ୍ରଦେଶର । ଏମାନେ ହେଲେ, ଝାଡ଼ଖଣ୍ଡ ମଝିଗାଁ ଥାନା ଅଞ୍ଚଳର ରାଜେନ୍ଦ୍ର ପିଙ୍ଗୁଆ, ଦୀପକ ଗୋପ୍, ଜଗନ୍ନାଥପୁର ଥାନା ଅଞ୍ଚଳର ସରୋଜ କେଶରୀ ଏବଂ ବାଗବେଡ଼ା ଅଞ୍ଚଳର ଶିବଶକ୍ତି ଜୁଏଲର୍ସ ମାଲିକ ଶିବପ୍ରକାଶ ପ୍ରସାଦ ଓ ତାଙ୍କ ସହଯୋଗୀ ରାଜେନ୍ଦ୍ର ପ୍ରସାଦ ।

ଏମାନେ ଗତ କିଛି ମାସ ମଧ୍ୟରେ ବଡ଼ବିଲ ଥାନା ଅଞ୍ଚଳରେ ୫ଟି, ଯୋଡ଼ାରେ ୩ଟି ଓ ଚମ୍ପୁଆ ଥାନା ଅଞ୍ଚଳରେ ଗୋଟିଏ ଛିନତାଇ ଓ ଲୁଟ୍ ଘଟଣାରେ ସଂପୃକ୍ତ ଥିବାନେଇ ପୋଲିସ୍ ଆଗରେ ସ୍ବୀକାର କରିଛନ୍ତି ।

ଏନେଇ ଆଜି ବଡ଼ବିଲ ଏସଡିପିଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ଏକ ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି । ବିଶେଷ କରି ବୟସ୍କା ମହିଳାମାନଙ୍କୁ ଏହି ଗ୍ୟାଙ୍ଗ ଟାର୍ଗେଟ କରୁଥିଲା । ଏମାନଙ୍କ ଗିରଫଦାରୀ ପରେ ଏଭଳି ଘଟଣା ଉପରେ ଅଙ୍କୁଶ ଲାଗିପାରିବ ବୋଲି ଆଶା କରାଯାଉଛି ।



