ଦେଶ

ବନ୍ଧାହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ନୂଆଦିଲ୍ଲୀ/୨୧/୦୩ –  ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି।  ଇଡି ଟିମ୍ ଦଶମ ସମନ୍ ଏବଂ ସର୍ଚ୍ଚ ୱାରେଣ୍ଟ ସହିତ ଗୁରୁବାର ସନ୍ଧ୍ୟା ୭ ଟାରେ କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲା। ପାଖାପାଖି ଦୁଇ ଘଣ୍ଟା ଧରି ପଚରାଉଚରା ପରେ ତଦନ୍ତକାରୀ ସଂସ୍ଥା ରାତି ୯ଟାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ଏହାରି ଭିତରେ କେଜ୍ରିୱାଲଙ୍କ ଘର ବାହାରେ ବହୁ ସଂଖ୍ୟାରେ ଆପ୍ ନେତା ଓ କର୍ମୀ ଉପସ୍ଥିତ ହୋଇ ନାରା ବାଜି କରୁଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଆବାସ ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଲଗାଇଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆସନ୍ତାକାଲି କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ। ଅଧିକ ପଚରା ଉଚରା ପାଇଁ କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରିପାରେ ଇଡି ।

ସେପଟେ ଦିଲ୍ଲୀ ମନ୍ତ୍ରୀ ଆତିସୀ କହିଛନ୍ତି ଯେ ଏହା ବିଜେପିର ଚକ୍ରାନ୍ତ। ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ, ଅଛନ୍ତି ଓ ରହିବେ। ଆବଶ୍ୟକ ହେଲେ ସେ ଜେଲରୁ ହିଁ ସରକାର ଚଳାଇବେ।  ସେପଟେ କେଜ୍ରିୱାଲଙ୍କ ଲିଗାଲ ଟିମ୍ ସୁପ୍ରିମକୋର୍ଟରେ ଆବେଦନ କରି ଏହି ମାମଲାର ତୁରନ୍ତ ଶୁଣାଣି ପାଇଁ  ଦାବି କରିଛନ୍ତି ।

ଗିରଫ୍ ହେବା ଆଶଙ୍କା ଥିବାରୁ ଗୁରୁବାର ଅପରାହ୍ନ ୨ଟା ୩୦ ସମୟରେ ଗିରଫଦାରୀ ଉପରେ ହାଇକୋର୍ଟରେ ଆବେଦନ କରିଥିଲେ କେଜ୍ରିୱାଲ । ସେ କୋର୍ଟଙ୍କଠାରୁ ଆଶ୍ୱାସନା ମାଗିଥିଲେ ଯେ ଯଦି ପଚରା ଉଚରା ପାଇଁ ଇଡି ଯାଆନ୍ତି, ତେବେ ତାଙ୍କୁ ଗିରଫ କରାଯିବ ନାହିଁ । ତେବେ କୋର୍ଟ ସ୍ପଷ୍ଟ କରିଥିଲେ ଯେ କେଜ୍ରିୱାଲଙ୍କୁ ଇଡିରେ ହାଜର ହେବାକୁ ପଡ଼ିବ ।

Show More

Related Articles

Back to top button