
ଚମ୍ପୁଆ/୦୬/୦୭ – କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ପୋଲିସର ଏନକାଉଣ୍ଟର। ପୋଲିସ ଗୁଳିରେ ଜଣେ କୁଖ୍ୟାତ ଆନ୍ତଃରାଜ୍ୟ ଅପରାଧୀ ଗୁରୁତର ଭାବେ ଆହତ ହୋଇଛି। ଏହି ଅପରାଧୀ ଜଣକ ହେଉଛି ଝାଡ଼ଖଣ୍ଡ ମଝିଗାଁ ଅଞ୍ଚଳର ମହମ୍ମଦ ନାଫିସ୍। ତା’ ନାଁ ରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ୩୦ ରୁ ଅଧିକ ଚୋରି ଓ ଲୁଟ୍ ଭଳି ସଙ୍ଗୀନ ମାମଲା ରହିଛି। ଗତକାଲି ତାକୁ ଝାଡ଼ଖଣ୍ଡ ମଝିଗାଁ ଅଞ୍ଚଳରୁ ଗିରଫ କରି ଚମ୍ପୁଆ ଅଣାଯାଇଥିଲା ।

ପୋଲିସ୍ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୫ଟା ସମୟରେ ଚମ୍ପୁଆ ପୋଲିସ ଅଭିଯୁକ୍ତ ନାଫିସକୁ ଚୋରି ସାମଗ୍ରୀ ଜବତ କରିବା ପାଇଁ ପତଳା ଜଙ୍ଗଲକୁ ନେଇଥିଲା। ସେଠାରେ ପୂର୍ବରୁ ଲୁଚାଇ ରଖିଥିବା ଏକ ବନ୍ଧୁକ ବାହାର କରି ପୋଲିସ ଟିମ୍ ଉପରକୁ ହଠାତ୍ ୨ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ହେବାକୁ ଉଦ୍ୟମ କରିଥିଲା ନାଫିସ୍। ତେବେ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା। ପୋଲିସ ଗୁଳିଟି ନାଫିସର ଡାହାଣ ଗୋଡ଼ରେ ବାଜିଥିଲା, ଯାହାଫଳରେ ସେ ସେଠାରେ ହିଁ ପଡ଼ିଯାଇଥିଲା। ଏହାପରେ ପୋଲିସ ତାକୁ କାବୁ କରି ପ୍ରଥମେ ଚମ୍ପୁଆ ଡାକ୍ତରଖାନା ଓ ପରେ ଅଧିକ ଚିକିତ୍ସା ପାଇଁ କେଉଁଝର ସ୍ଥିତ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଛି।

ପୋଲିସ ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ ଜବତ କରିଛି। ଏନେଇ ଚମ୍ପୁଆ ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା 109(1)/296 ଏବଂ ଅସ୍ତ୍ରଶସ୍ତ୍ର ଆଇନ (Arms Act) ର ଧାରା 25/27 ଅନୁଯାୟୀ କେସ ନଂ 257/2026 ଏକ ମାମଲା ରୁଜୁ କରାଯାଇଛି।

ଏହି ଆନ୍ତଃରାଜ୍ୟ ଚୋର ମହମ୍ମଦ ନାଫିସ୍ ସହିତ ଆଉ କେଉଁମାନେ ଜଡ଼ିତ ଅଛନ୍ତି ଏବଂ ଏମାନଙ୍କ ଅପରାଧିକ ନେଟୱାର୍କ କେଉଁ ପର୍ଯ୍ୟନ୍ତ ଲମ୍ବିଛି, ସେ ନେଇ ଚମ୍ପୁଆ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ଚମ୍ପୁଆ ପୋଲିସ୍ ସୂଚନା ଦେଇଛି ।




