
ବଡ଼ବିଲ/୨୧/୦୯ – ଆଉ ନାହାନ୍ତି ରଞ୍ଜିତ ଦା’ । ବଡ଼ବିଲ ଅଞ୍ଚଳର ଜଣା ଶୁଣା ବ୍ୟକ୍ତିତ୍ଵ ଅନେକଙ୍କ ପ୍ରିୟ ରଞ୍ଜିତ ଚାଟାର୍ଜୀ ଆଉ ନାହାନ୍ତି । ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ରଞ୍ଜିତ ଚାଟାର୍ଜୀଙ୍କୁ ଆଦରରେ ସମସ୍ତେ ରଞ୍ଜିତ ଦା’ ବୋଲି ଡାକିଥାଆନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ସେ ୧୯୪୮ ମସିହା ଅଗଷ୍ଟ ମାସ ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ରଞ୍ଜିତ ଦା’। ବଡ଼ବିଲ ମ୍ୟୁନିସିପାଲ ହାଇସ୍କୁଲରେ ଶିକ୍ଷା ଗ୍ରହଣ ପରେ ଏମ୍ ଏମ୍ ଟି ସି ରେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅବସର ପରେ ସେ ବଡ଼ବିଲର ବିଭିନ୍ନ ସାମାଜିକ, ଧାର୍ମିକ ତଥା ସାଂସ୍କୃତିକ ଅନୁଷ୍ଠାନ ସହ ଯୋଡ଼ି ହୋଇ ଅନେକ ସେବାଧର୍ମି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ଏତଦ୍ ବ୍ୟତୀତ ସେ ଜଣେ ଭଲ ଫୁଟବଲ ଖେଳାଳୀ ଭାବରେ ସ୍ଵତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରିପାରିଥିଲେ । ବଡ଼ବିଲ ମହୋତ୍ସବ କମିଟିର ସଭାପତି, ହରିହର ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି, ମ୍ୟୁନିସିପାଲ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ସଭାପତି ଏବଂ ବଡ଼ବିଲ ଦୂର୍ଗା ପୂଜା ସମିତିର ସଭାପତି ଭାବରେ ନିଜର ଦାୟିତ୍ୱକୁ ସୂଚାରୁ ରୂପେ ସଂପାଦନ କରି ବେଶ୍ ପ୍ରଶଂସିତ ହୋଇ ପାରିଥିଲେ । ପରିଣତ ବୟସରେ ମଧ୍ୟ ସେ ଅନେକ କ୍ରିୟାଶୀଳ ରହିଥିଲେ । ବଡ଼ବିଲ ମେନ୍ ରୋଡ଼ରେ ମିଠାଇ ରାଜା ନାଁ ରେ ଏକ ମିଠା ଦୋକାନ କରି ଭଲ ବ୍ୟବସାୟ କରି ଆସୁଥିଲେ । ସେ ଜଣେ ସରଳ, ମେଳାପି ମିଷ୍ଟ ଭାଷୀ ଏବଂ ଇଷ୍ଟ ପରାୟଣ ବ୍ୟକ୍ତିତ୍ୱ ଥିଲେ l ତେବେ ଆଜି ତାଙ୍କର ଆକସ୍ମିକ ବିୟୋଗ ପରେ ବଡ଼ବିଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ପ୍ରାୟ ୨୦ ବର୍ଷ ତଳେ ତାଙ୍କର ଓପନ୍ ହାର୍ଟ ସର୍ଜରୀ ହୋଇଥିଲା । ମାତ୍ର ଆଜି ସକାଳୁ ଉଠି ସେ ପାଣି ପିଇବା ସମୟରେ ତାଙ୍କୁ ହଠାତ୍ ହାର୍ଟ ଷ୍ଟ୍ରୋକ ହୋଇଥିଲା । ତାଙ୍କର ସୁ ପୁତ୍ର ପରିମଲ୍ ଚାଟାର୍ଜୀ ତାଙ୍କୁ ସଙ୍ଗେସଙ୍ଗେ ବଡ଼ବିଲ ମେଡିକାଲକୁ ନେଇଥିଲେ, ମାତ୍ର ସେ ଆଉ ଇହ ଜଗତରେ ନଥିଲେ । ସକାଳ ପ୍ରାୟ ୭ ଟା ୫୦ ମିନିଟ ସମୟରେ ସମସ୍ତଙ୍କୁ ପର କରି ଇହଧାମ ତ୍ୟାଗ କରିଥିଲେ ରଞ୍ଜିତ ଦା’ । ଏହି ଖବର ଜଣାପଡ଼ିବା ପରେ ତାଙ୍କର ବନ୍ଧୁ ବାନ୍ଧବ ଓ ଶୁଭେଚ୍ଛୁ ମାନେ ତାଙ୍କର ୱାର୍ଡ଼ ନଂ ୬ ସ୍ଥିତ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ଆସନ୍ତା କାଲି ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ନ୍ୟୁଜ ଜଙ୍କସନ୍ ଓଡ଼ିଶା ତରଫରୁ ତାଙ୍କୁ ଭାବବିନି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି ହେଉ ଏହାହିଁ କାମନା କରୁଛୁ ।
