
ପାଟଣା, ୨୯/୦୪ – ପାଟଣା ରେଞ୍ଜ ସାହାରାପଡ଼ା ସେକ୍ସନ, ରାଇଡିହା ବିଟ୍ ଭଣ୍ଡାରୀବିଲା ଗ୍ରାମରୁ ଆଜି ଏକ ଅଣ୍ଡିରା ଆହତ ହରିଣକୁ ଉଦ୍ଧାର କରିଛି ବନ ବିଭାଗ । ହରିଣଟିର ମୁଣ୍ଡରେ କ୍ଷତ ଥିବାରୁ ଚିକିତ୍ସା କରାଇବାପରେ ନିକଟସ୍ଥ ଅଟେଇ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଛାଡିଛନ୍ତି ବନ କର୍ମଚାରୀ ।
ହରିଣଟି ଜଙ୍ଗଲରୁ ଆସି ଭଣ୍ଡାରୀବିଲା ଗ୍ରାମର ଭୀମସେନ ମହାନ୍ତଙ୍କ ପରିବା ବଗିଚାରେ ପଶି ସେଠାରେ ଘେରା ଯାଇଥିବା ଜାଲରେ ଫସି ଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରେ ବନପାଳ ଭୂପତି ସେଠୀ ଏବଂ ଅନ୍ୟ ବନ କର୍ମଚାରୀ ପହଞ୍ଚି ହରିଣଟିକୁ ଉଦ୍ଧାର କରିଥିଲେ। ବିଭିନ୍ନ ସମୟରେ ଖାଦ୍ୟ ଅନ୍ୱେଷଣ ପାଇଁ ହେଉ ଅଥବା ଜଙ୍ଗଲରେ ନିଆଁ ଲାଗିବା ପାଇଁ ହେଉ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି, ଯାହା ଫଳରେ ସେମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି ।
