
ବ୍ୟୁରୋ/୨୦/୦୪ – ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ବିଧାନସଭା ଆସନ ଚମ୍ପୁଆ । ଚମ୍ପୁଆରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଘଡିକେ ଘୋଡା ଛୁଟୁଥିଲା । ବିଜେଡି ଟିକେଟ ପାଇଁ ଦୁଇ ମୁଖ୍ୟ ଦାବିଦାର କୁଶ ଆପଟ ଏବଂ ସନାତନ ମହାକୁଡ଼ଙ୍କ ନାଁ କୁ ନେଇ ୧୫ ଦିନ ହେବ ଅନେକ ଚର୍ଚ୍ଚା, ବିଭିନ୍ନ କଳ୍ପନା ଜଳ୍ପନା ଲାଗିରହିଥିଲା ।
ସନାତନ ମହାକୁଡ଼ ଏବଂ କୁଶ ଆପଟ, ଉଭୟ ଚମ୍ପୁଆ ରାଜନୀତିରେ ନିଜର ଦବଦବା ରଖୁଥିବା ବେଳେ, ସେମାନଙ୍କର ନିଜସ୍ୱ ଭୋଟ ବ୍ୟାଙ୍କ୍ ମଧ୍ୟ ରହିଛି । ଗତ ନିର୍ବାଚନରେ ସନାତନ ନିଜେ ନିର୍ବାଚନ ନ ଲଢ଼ି କେନ୍ଦୁଝର ଲୋକସଭା ଏବଂ ଚମ୍ପୁଆ ବିଧାନସଭା ଆସନରେ ବିଜେଡି ଟିକେଟରେ ନିଜର ପ୍ରାର୍ଥୀ ଦେଇ ଦୁହିଁଙ୍କୁ ଜିତାଇ ଦେଖାଇଥିଲେ । ଏଥର କିନ୍ତୁ ସେ ପ୍ରତ୍ୟକ୍ଷ ଭାବରେ ଦଳରେ ଯୋଗଦେଇ ବିଜେଡି ଟିକଟରୁ ନିର୍ବାଚନ ଲଢିବା ପାଇଁ ନିଶ୍ଚିତ କରିସାରିଥିଲେ । ନିଜେ କିଙ୍ଗ ମେକର ନହୋଇ କିଙ୍ଗ ହେବାକୁ ମନସ୍ଥ କରିଥିଲେ ସନାତନ ।
ସେପଟେ କୁଶ ଆପଟ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ବିଜେଡି ପାଇଁ ଦୁଇ ଦଶନ୍ଧି ଧରି ସାଂଗଠନିକ କାର୍ଯ୍ୟ କରି ଆସିଛନ୍ତି । ଏଥିସହ ଜିଲ୍ଲାର ବିଭିନ୍ନ ପଦ ପଦବୀରେ ମଧ୍ୟ ରହିବାର ସୁଯୋଗ ମଧ୍ୟ ତାଙ୍କୁ ମିଳିଛି । ଚମ୍ପୁଆ ଅଞ୍ଚଳରେ ତାଙ୍କର ସଂଗଠନ ବେଶ୍ ମଜଭୁତ ରହିଛି । ୨୦୦୯ରେ ଆସନ ବୁଝାମଣା ହେତୁ ବିଜେଡି ଏଠାରେ ପ୍ରାର୍ଥୀ ଦେଇ ନଥିଲା ଏବଂ ସେତେବେଳେ କୁଶ ଆପଟ ସ୍ଵାଧୀନ ଭାବରେ ନିର୍ବାଚନ ଲଢି ହାରିଯାଇଥିଲେ । ତେବେ ୨୦୧୪ ଦକ ତାଙ୍କୁ ଅଣଦେଖା କରି ଟିକେଟ ଦେଇ ନଥିଲା ଏବଂ ସିନେ କମେଡିଆନ ପପୁ ପମପମ୍ ଏଠାରୁ ଦଳୀୟ ଟିକେଟ ପାଇଥିଲେ, ଯାହା ଫଳରେ କୁଶ ବିଦ୍ରୋହୀ ସାଜି ସ୍ଵାଧୀନ ଭାବେ ନିର୍ବାଚନ ଲଢିଥିଲେ । ଅବଶ୍ୟ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ୨୦୧୯ ରେ ମଧ୍ୟ ତାଙ୍କ ଉପରେ ଭରସା କରି ନଥିଲା ଦକ । ସନାଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ଦେଇଥିଲା ଟିକେଟ ।
ଚଳିତ ୨୦୨୪ ନିର୍ବାଚନରେ ସେ ଦଳୀୟ ଟିକେଟ ପାଇଁ ମୁଖ୍ୟ ଦାବିଦାର ବୋଲି କୁହାଯାଉଥିଲା । ଗତ ୯ ତାରିଖରେ କୁଶଙ୍କୁ ନବୀନ ନିବାସରୁ ଡାକରା ଏବଂ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ତାଙ୍କ ଫଟୋ ଆସିବାପରେ ତାଙ୍କୁ ଟିକେଟ ମିଳିବା ଆଶା ଉଜ୍ଜ୍ୱଳ ହୋଇଥିଲା । ସମର୍ଥକ ଭାବିଥିଲେ ଏଥର ଟିକେଟ ନିଶ୍ଚିତ । କିନ୍ତୁ ସବୁ ପାଣି ଫୋଟକା ପରି ମେଳେଇଗଲା । ଶେଷରେ ବାଜି ମାରିନେଲେ ସନାତନ । କେବଳ ଚମ୍ପୁଆ ନୁହେଁ, କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଥିବା ଅନ୍ୟ ଆସନ ଗୁଡ଼ିକରେ ମଧ୍ୟ ସନାତନଙ୍କ ପ୍ରଭାବ ରହିଥିବାରୁ ତାଙ୍କୁ ଜନତା ଦଳ ଦେଇଥିବା କୁହାଯାଉଛି ।

ସେପଟେ କିନ୍ତୁ କୁଶ ଆପଟ ପୂର୍ବପରି ବିଦ୍ରୋହୀ ସାଜି ସ୍ଵାଧୀନ ଭାବରେ ନିର୍ବାଚନ ଲଢିବା ହେଉ ଅଥବା ଅନ୍ୟ କୌଣସି ପ୍ରାର୍ଥୀଙ୍କୁ ଭିତିରି ସମର୍ଥନ ଦେବା କଥା ହେଉ ସେନେଇ ବୋଧହୁଏ ବିଜେଡିକୁ ଡେମେଜ୍ କଣ୍ଟ୍ରୋଲ ଭୟ ଘାରିଛି । ସେଇଥିପାଇଁ ଟିକେଟ ଘୋଷଣାର ତୁରନ୍ତ ବାଦ୍ କୁଶ ଆପଟଙ୍କୁ କେନ୍ଦୁଝର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦେଇଛି ବିଜୁ ଜନତା ଦଳ ।
ବିଜୁ ଜନତା ଦଳର କେନ୍ଦୁଝର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ପାଇବା ପରେ କୁଶଙ୍କ ଏକ ପ୍ରତିକ୍ରିୟା ମେସେଜ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ଏଥିରେ ସେ ଲେଖିଛନ୍ତି ..
“ମୋତେ କେନ୍ଦୁଝର ଜିଲ୍ଲାର ବିଜୁ ଜନତା ଦଳର ସଭାପତି ଭାବେ ମନୋନୀତ କରିଥିବାରୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ହୃଦୟର ସହ ଅଶେଷ ଅଶେଷ ଧନ୍ୟବାଦ ଦେବା ସହିତ ମୋର କୃତଜ୍ଞତା ଜ୍ଞାପନ କରୁଅଛି ବିଶେଷ କରି ୫ଟି ଅଧ୍ୟକ୍ଷ ଶ୍ରୀ ଭି କେ ପଣ୍ଡିଆନ ମହୋଦୟ, ଆମ ଜିଲ୍ଲାର ପର୍ଯ୍ୟବେଖକ୍ ରାଜ୍ୟ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମହୋଦୟ ଓ ଘଷିପୁରା ବିଧାୟକ ଶ୍ରୀ ବଦ୍ରି ପତ୍ର ମହୋଦୟଙ୍କୁ ସମସ୍ତଙ୍କୁ ମୁଁ ହୁର୍ଦୟରୁ କୃତଜ୍ଞତା ଜ୍ଞାପନ ଜଣାଉଛି”
କୁଶ ଆପଟ
