ଅନୁଗୁଳଜିଲ୍ଲାରାଜ୍ୟ

ହାଇୱାକୁ ଧକ୍କା ଦେଲା ବସ୍‌; ଡ୍ରାଇଭର ମୃତ, ୧୦ ଆହତ ।

ଅନୁଗୋଳ/୧୬/୦୪ – ଅନୁଗୋଳ ଜିଲ୍ଲା ଏନ୍ଏଚ୍ ୫୫ ଜରପଡ଼ା ଛକ ନିକଟରେ  ଛିଡ଼ା ହୋଇଥିବା ବାଲି ବୋଝେଇ ହାଇୱକୁ ପିଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତ ଡ୍ରାଇଭର ତାରା ପ୍ରସାଦ ଦାସ ବୋଲି ପରିଚୟ ମିଳିଛି । ଆହତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୬ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି । ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।

ସୁଚନା ଅନୁସାରେ, ଏନ୍ଏଚ୍ ୫୫ ଜରପଡ଼ା ୟୁ ପି ସ୍କୁଲ୍ ନିକଟରେ ଏକ ବାଲି ବୋଝେଇ ହାଇୱା ବ୍ରେକ୍ ଡାଉନ୍ ହୋଇ ରାସ୍ତା କଡ଼ରେ ଛିଡ଼ା ହୋଇଥିଲା । ଆଜି ଭୋର୍ ସମୟରେ ଓଡ଼ି-୦୫-ପି-୭୧୬୫ ନମ୍ବର ଡଲଫିନ୍ ଯାତ୍ରୀବାହୀ ବସ୍ ରାୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭୋର ପ୍ରାୟ ୪ଟା ସମୟରେ ବସ୍‌ଟି ଛିଡ଼ା ହୋଇଥିବା ବାଲି ବୋଝେଇ ହାଇୱାକୁ ଧକ୍କା ଦେଇଥିଲା। ଧକ୍କା ଏତେ ଯୋରଦାର ଥିଲାଯେ, ହାଇୱା ଓଲଟି ପଡିଥିଲା । ବସର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ଘଟଣାସ୍ଥଳରେ ବସ ଡ୍ରାଇଭର ମୃତ୍ୟୁବରଣ କରିଥିଲେ।

ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ପୋଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଦୁର୍ଘଟଣାଗ୍ରସ୍ତ ଦୁଇଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି ପୋଲିସ୍।

Show More

Related Articles

Back to top button