କେନ୍ଦୁଝର

ଯୋଡ଼ା ଫ୍ଲାଇଓଭର ଲୋକାର୍ପିତ

ଯୋଡ଼ାରେ ରାଜ୍ୟର ଦୀର୍ଘତମ ଫ୍ଲାଏଓଭର ଲୋକାର୍ପିତ ହୋଇଛି । ଭିଡିଓ କନଫରେନ୍ସ ମାଧ୍ୟମରେ ଫ୍ଲାଏଓଭରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଯୋଡ଼ା/୧୧/୦୩ – ଯୋଡ଼ା ସହରବାସୀଙ୍କ ଦୀର୍ଘବର୍ଷ ପ୍ରତୀକ୍ଷାର ଅନ୍ତଘଟିଛି । ଯୋଡ଼ା ସହରରେ ନିର୍ମିତ ରାଜ୍ୟର ଦୀର୍ଘତମ ଫ୍ଲାଏଓଭର ଆଜି ଲୋକାର୍ପିତ ହୋଇଛି । ପୂର୍ବାହ୍ନରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଫ୍ଲାଏଓଭରକୁ ଉଦଘାଟନ କରିଛନ୍ତି । ଡିଏମ୍‌ଏଫ ଫଣ୍ଡରୁ ପ୍ରାୟ ୨୫୦ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ କାର୍ଯ୍ୟ ୨୦୨୦ ରେ ଆରମ୍ଭ ହୋଇଥିଲାବେଳେ, ଏହାର ନିର୍ମାଣ ଦାୟିତ୍ବ ନେଇଥିଲା ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି)  । ଏନ୍ ଏଚ୍ ୫୨୦ ର ରଣାଶାଳ ଛକ ଠାରୁ କମାରଯୋଡ଼ା ପର୍ଯ୍ୟନ୍ତ ଆପ୍ରୋଚ ରୋଡ୍ ସହିତ ୪.୪୮୭ କି.ମି. ଲମ୍ବ ନିର୍ମାଣ ହୋଇଥିଲା ବେଳେ, ତିନି ଲେନ୍ ବିଶିଷ୍ଟ ଫ୍ଲାଏଓଭରର ଲମ୍ବ ୨.୯୮ କି.ମି. ଏବଂ ଓସାର ସାଢେ଼ ପାଞ୍ଚ (୫.୫) ମିଟର ରହିଛି । ସେହିପରି ଏହି ଫ୍ଲାଏଓଭରର ଭାର ବହନ କ୍ଷମତା ୪୦୦ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ରହିଛି । ଲୋକଙ୍କ ସୁବିଧା ପାଇଁ ଫ୍ଲାଏଓଭରରେ ଉଜ୍ଜ୍ବଳ ଆଲୋକୀକରଣ ମଧ୍ୟ କରାଯାଇଛି ।  

ଏହି ଅବସରରେ ଯୋଡ଼ା ଠାରେ ଆୟୋଜିତ  ଲୋକାର୍ପଣ ଉତ୍ସବରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ,  କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ଯୋଡ଼ା ଓ  ବଡ଼ବିଲର ପୌରାଧ୍ୟକ୍ଷଙ୍କ ସହିତ ବହୁ ସଂଖ୍ୟାରେ ସ୍ଥାନୀୟ ଜନ ସାଧାରଣ  ଯୋଗଦେଇ ଥିଲେ।

ଫ୍ଲାଏଓଭର ଲୋକାର୍ପଣ ହେବାନେଇ ଯୋଡ଼ା ବାସୀ ଖୁସି ଜାହିର କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।  ଏହା କାର୍ଯ୍ୟକ୍ଷମ ହେବା ଦ୍ବାରା ଯୋଡ଼ା ସହରରେ ଟ୍ରାଫିକ ଓ ପ୍ରଦୂଷଣ ଜନିତ ସମସ୍ୟାରୁ ଅନେକାଂଶରେ ମୁକ୍ତି ପାଇପାରିବେ ବୋଲି ସହରବାସୀ କହିଛନ୍ତି । ସେହିପରି ଖଣିଜ ପରିବହନ କ୍ଷେତ୍ରରେ ଏହା ବେଶ୍ ସହାୟକ ହୋଇପାରିବ । ଏଣିକି ଅନବରତ ଭାବରେ ଖଣିଜ ବୋଝେଇ ଟ୍ରକ ଗୁଡ଼ିକ ଫ୍ଲାଏଓଭର ଦେଇ ଚଳାଚଳ କରି ପାରିବ, ଯାହା ଫଳରେ ଆର୍ଥିକ ଅଭିବୃଦ୍ଧିର ବିକାଶ ଘଟିବ ବୋଲି ମତ ପ୍ରକାଶ ପାଇଛି ।

ଯୋଡ଼ା ଫ୍ଲାଏଓଭର
Show More

Related Articles

Leave a Reply

Your email address will not be published. Required fields are marked *

Back to top button