
ବଡ଼ବିଲ/୦୬/୦୭ – ବିଭିନ୍ନ ସ୍ଥାନରେ ଭକ୍ତିମୟ ପରିବେଶରେ ମଧ୍ୟରେ ପବିତ୍ର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି । ହେଲେ, କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ବଡ଼କାଳିମାଟିରେ ବିଶ୍ଵ ନିୟନ୍ତାଙ୍କ ବାହୁଡ଼ା ସମୟରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାହା କୋଟି ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି । ଦୁବୁନା ଗୁପ୍ତେଶ୍ୱର ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ମାଉସୀ ମା’ ମନ୍ଦିରରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥାରୁଢ଼ କରି ବଡ଼କାଳିମାଟିରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରଥ ଟଣା ଚାଲିଥିଲା । ଘଣ୍ଟଘଣ୍ଟା ବଜାଇ ହରିବୋଲ ପକାଇ ଖାଲ, କାଦୁଅ ପଚପଚ ରାସ୍ତାରେ ରଥକୁ ଟାଣିଟାଣି ନେଉଥିଲେ ଭକ୍ତ । ମାତ୍ର, ରାସ୍ତା ଏପରି ହୋଇଥିଲା ଯେ, କିଛିବାଟ ଯିବାପରେ ରଥର ଦୁଇଟି ଚକ ଭାଙ୍ଗି ଯାଇଥିଲା । ଏମିତିରେ ରଥ ଆଉ ଆଗକୁ ଗଡ଼ିବା ସମ୍ଭବ ହୋଇପାରିନଥିଲା । ଏଭଳି ପରିସ୍ଥିତିରେ ଭକ୍ତ, ଶ୍ରୀଜୀଉ ମାନଙ୍କୁ ନିଜ କାନ୍ଧରେ କାନ୍ଧେଇ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ ।

ଗୁଣ୍ଡିଚା ଯାତ୍ରା ଦିନ ଏହି ରାସ୍ତାରେ ରଥ ଟଣା ବେଳେ ରଥର ୬ଟି ଚକା ମଧ୍ୟରୁ ୨ଟି ଚକ ଭାଙ୍ଗି ଯାଇଥିଲା, ଫଳରେ ୪ଟି ଚକରେ ଯେ କୌଣସି ମତେ ରଥ ଗଡିଥିଲା । ତେବେ ଆଜି ବାହୁଡା ଯାତ୍ରାରେ ଏହି ଅଭାବନୀୟ ପରିସ୍ଥିତି ଉପୁଜିଥିଲା । କାଦୁଅ ଖାଲରେ ଫସି ଯିବାରୁ ରଥର ଆଉ ୨ଟି ଚକ ଭାଙ୍ଗିଯାଇଥିଲା । ଏମିତିରେ ରଥ ସେଇଠି ଅଟକି ରହିଥିଲା । ଶେଷରେ ଭାବ ବିହ୍ବଳ ହୋଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ନିଜ କାନ୍ଧରେ ବୋହି, ବର୍ଷାରେ ଭିଜି ଭିଜି ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ ଭକ୍ତ ।

କାଳିମାଟିରୁ ଦୁବୁନା ଯାଇଥିବା ଗ୍ରାମ୍ୟ ରାସ୍ତା ଦୀର୍ଘ ଦିନରୁ ମରାମତି ଅଭାବରୁ ଗାଡି ମୋଟର ଯାତାୟତ ଅନୁପଯୋଗୀ ହୋଇପଡିଛି । ବାରମ୍ବାର ଦାବି ସତ୍ତ୍ୱେ ଦୀର୍ଘ ଦିନ ଧରି ରାସ୍ତା ମରାମତି ହେଉନାହିଁ । ପାଖରେ ଥିବା ଘରୋଇ ଖଣି ଓ କାରଖାନା କମ୍ପାନୀରୁ ଅନବରତ ଭାବେ ଲୁହାପଥର ପରିବହନ ହେବା ଯୋଗୁଁ ରାସ୍ତା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ୪ଚକିଆ ତ ଦୂରର କଥା ୨ ଚକିଆ ଯାନଟିଏ ଯିବା ମଧ୍ୟ କଷ୍ଟସାଧ୍ୟ । ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ଖାଲ ସୃଷ୍ଟି ହୋଇଛି । ଯାହା ଫଳରେ ରଥ ଚକ ଭାଙ୍ଗି ମହାପ୍ରଭୁଙ୍କର ଯାତ୍ରାରେ ବିଘ୍ନ ଘଟିଥିବାବେଳେ ଏଭଳି ଘଟଣା ଭକ୍ତଙ୍କ ମନରେ ଗଭୀର ଆଘାତ ଦେଇଛି ।



