କେନ୍ଦୁଝରଜିଲ୍ଲାରାଜ୍ୟ

ଯୋଡ଼ା ଟାଟା ଷ୍ଟିଲରେ ଶ୍ରମିକ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା ପରେ ପୋଲିସର ଲାଠି ଚାର୍ଜ, ଏକାଧିକ ଆହତ

କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ଟାଟା ଷ୍ଟିଲ ଖଣିର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । କ୍ଷତି ପୂରଣ ଦାବିରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ, ସେମାନଙ୍କ ଉପରେ ପୋଲିସ ଲାଠି ମାଡ଼ କରିଥିବା ଅଭିଯୋଗ ହୋଇଛି । ଏଥିରେ ଏକାଧିକ ଶ୍ରମିକ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଥିବା ଟାଟା କମ୍ପାନୀ ଅଧିନରେ ଏମ୍ ଏସ୍ ଇଂଜିନିୟର୍ସ ନାମକ ଠିକା କମ୍ପାନୀ ପ୍ରୋଜେକ୍ଟ କାମରେ ନିୟୋଜିତ ରହିଛି । ଏହି ଠିକା କମ୍ପାନୀରେ କାମ କରୁଥିବା ପିଣ୍ଟୁ ରାମ୍ ନାମକ ଜନୈକ ଶ୍ରମିକଙ୍କ ରବିବାର ଦିନ ଅସ୍ବାଭାବିକ ମୃତ୍ୟୁ ଘଟିଥିଲା। ମୃତ ଶ୍ରମିକ ଝାଡ଼ଖଣ୍ଡ ରାଜ୍ୟର ଗଢ଼ବା ଜିଲ୍ଲାର ବୋଲି ଜଣାପଡିଛି । ମୃତ୍ୟୁ ଖବର ପାଇ ପରିବାର ଲୋକେ ଯୋଡ଼ାରେ ପହଞ୍ଚିବା ପରେ । ଉଭୟ ପରିବାର ଲୋକେ ଓ ଶ୍ରମିକମାନେ କ୍ଷତିପୂରଣ ଦାବି କରିଥିଲେ । ତେବେ ସଂପୃକ୍ତ ଠିକା କମ୍ପାନୀ କ୍ଷତିପୂରଣ ଦେବାରେ ଟାଳଟୁଳ ନୀତି ଅବଲମ୍ୱନ କରିବା ଯୋଗୁଁ ଏହା ଆନ୍ଦୋଳନର ରୂପ ନେଇଥିଲା । କମ୍ପାନୀର ବିରୋଧରେ ତାତିଥିଲେ ଠିକା ଶ୍ରମିକ । ସମସ୍ତ ଠିକା ଶ୍ରମିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ । ଶ୍ରମିକମାନେ ଆନ୍ଦୋଳନ କରୁଥିବା ସମୟରେ ମଙ୍ଗଳବାର ସକାଳେ ପ୍ରୋଜେକ୍ଟ କ୍ୟାମ୍ପରେ ଆରଏମପି ହେଡ୍ ପହଞ୍ଚି ଏହାର ସମାଧାନ କରିବା ପରିବର୍ତ୍ତେ ତାଙ୍କୁ ତାଗିଦ୍ କରି ଦୁର୍ବ୍ୟବହାର କରିବାରୁ ଶ୍ରମିକ ମହଲରେ ଏହା ଉଗ୍ରରୂପ ଧାରଣ କରିଥିଲା । ଶ୍ରମିକମାନେ ପଶ୍ଚିମ ଯୋଡ଼ା ସ୍ଥିତ  ର ମେଟେରିଆଲ ପ୍ରୋଜେକ୍ଟ କାର୍ଯ୍ୟାଳୟକୁ ଆସି ଏହାର ଦୃଢ଼ ପ୍ରତିବାଦ କରିବା ସହ ନାରାବାଜି କରିଥିଲେ । ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ପୋଲିସ  ମୁତୟନ ରହିଥିଲେ । ଗୋଟିଏ ପଟେ କ୍ଷତିପୂରଣ ନେଇ କାର୍ଯ୍ୟାଳୟ ଭିତରେ ଆପୋଷ ଆଲୋଚନା ଚାଲିଥିବା ବେଳେ, ବାହାରେ ଉତ୍ତେଜିତ ଶ୍ରମିକମାନେ ନ୍ୟାୟ ପାଇଁ ନାରାବାଜି କରୁଥିଲେ । ଏହି ସମୟରେ ପୋଲିସ୍ ପକ୍ଷରୁ ତାଙ୍କ ଉପରକୁ ଲାଠି ଚାର୍ଜ କରାଯାଇଥିଲା ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଲାଠିଚାର୍ଜ ହେବା ଫଳରେ ଏଥିରେ ଏକାଧିକ ଶ୍ରମିକ ଆହତ ହୋଇଛନ୍ତି। ଶ୍ରମିକମାନେ ଅଭିଯୋଗ କରିଛନ୍ତି ଯେ,ଗତ ୩ ଦିନ ହେଲା ସଂପୃକ୍ତ ଠିକା ସଂସ୍ଥା, ଏମ୍ ଏସ୍ ଇଂଜିନିୟର୍ସ ଓ ଟାଟା ଷ୍ଟିଲ ପକ୍ଷରୁ ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ନେଇ ଶୁଣା ନ ଯିବାରୁ ସେମାନେ ଆର୍ ଏମ୍ ପି କାର୍ଯ୍ୟାଳୟକୁ ଆସିଥିଲେ, ମାତ୍ର ତାଙ୍କ ଉପରକୁ ଲାଠି ଚାର୍ଜ କରାଯାଇଥିଲା ।

ସେପଟେ ଏନେଇ ସଂପୃକ୍ତ ଠିକା ସଂସ୍ଥା, ଟାଟା ଷ୍ଟିଲ କିମ୍ବା ପୋଲିସ୍ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

ଶେଷରେ ଆପୋଷ ବୁଝାମଣାରେ ଘଟଣାର ସମାଧାନ ହୋଇଛି । ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର ସହାୟତା ରାଶି , ମର ଶରୀର ନେବା ପାଇଁ ୨୫ ହଜାର ଟଙ୍କା ଦେବା ପାଇଁ ସଂପୃକ୍ତ ଠିକା ସଂସ୍ଥା ଏମ୍ ଏସ୍ ଇଂଜିନିୟର୍ସ ସହମତ ହୋଇଛି । ସେହିପରି ଆଗାମୀ ୩ ମାସ ଯାଏଁ ମୃତକ ପାଉଥିବା ଦରମା ଟଙ୍କା ତାଙ୍କ ପରିବାରକୁ ଦେବା ସହ ତାଙ୍କ ପତ୍ନୀଙ୍କୁ ଯୋଗ୍ୟତା ଅନୁଯାୟୀ ଉପଯୁକ୍ତ ହେଲେ ଜମସେଦପୁର କାର୍ଯ୍ୟାଳୟରେ ନିଯୁକ୍ତି ଦେବା ପାଇଁ ବନ୍ଦୋବସ୍ତ କରିବ ।ଅନ୍ୟପଟେ ମୃତକର ପିଲାମାନେ ଜମସେଦପୁରରେ ପାଠ ପଢ଼ିବାକୁ ଚାହିଁଲେ ଏହି ଠିକା ସଂସ୍ଥା ପଢ଼ା ଖର୍ଚ୍ଚ ବହନ କରିବେ ବୋଲି ଟାଟା ଷ୍ଟିଲ ଯୋଡ଼ାର ସମ୍ପର୍କ ଅଧିକାରୀ ଶୁଭଙ୍କର ବେହେରା ସୂଚନା ଦେଇଛନ୍ତି ।

Show More

Related Articles

Back to top button