କେନ୍ଦୁଝରଜିଲ୍ଲାରାଜ୍ୟ

ବଡ଼ବିଲରେ ହିଟ୍ ଆଣ୍ଡ୍ ରନ୍ ! ଡାକ୍ତର ଭୁଲିଗଲେ ମାନବିକତା

ବଡ଼ବିଲ/୦୯/୦୯ – ବଡ଼ବିଲରେ ହିଟ୍ ଆଣ୍ଡ୍ ରନର ଏକ ଘଟଣା ସାମ୍ନାକୁ ଆସିଛି । ଏକ ସ୍କୁଟିକୁ ଯୋରଦାର ଟକ୍କର ଦେବାପରେ କାର୍ ନେଇ ଖସି ପଳାଇବାକୁ ଚେଷ୍ଟାକରି ବିଫଳ ହୋଇଛନ୍ତି ଜଣେ ଯୁବ ଡାକ୍ତର।ଦୁର୍ଘଟଣାରେ ସ୍କୁଟି ଆରୋହୀ ଦୁଇ ଶିଶୁ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ରବିବାର ରାତି ପ୍ରାୟ ୧୦ଟା ସମୟରେ ବଡ଼ବିଲ ମେନ୍ ରୋଡ଼ ସ୍ଥିତ ମସଜିଦ୍ ନିକଟରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଆହତମାନେ ହେଲେ, ସ୍କୁଟି ଚଲାଉଥିବା ବଡ଼ବିଲ କେ. ଅଲ୍ଲୀ ମହଲ୍ଲାର ଏମ୍. ଡି. ଫାହାରୁକ୍ ଏବଂ ତାଙ୍କ ସହ ଆସୁଥିବା ମହିଳା ଅଜମେରୀ ଖାତୁନ, ମହିଳାଙ୍କ ୧୧ ବର୍ଷର ପୁଅ ଏମ୍. ଡି. ଫହାଦ୍ ଓ ୮ ବର୍ଷର ଝିଅ ଆଲିସବା । ଏହି ୪ ଜଣ, ଏକ ସ୍କୁଟି ଯୋଗେ ରବି ସନ୍ସ ମଲରୁ ଘରକୁ ଫେରୁଥିବା ବେଳେ,  ଥାନା ଛକ ମସଜିଦ୍ ନିକଟରେ ସ୍କୁଟି କୁ ସାମ୍ନାପଟୁ ଯୋରଦାର ଟକ୍କର ମାରିଥିଲା ଡାକ୍ତରଙ୍କ କାର୍।

ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଟକ୍କର ଏତେ ଭୟଙ୍କର ଥିଲା ଯେ, ସ୍କୁଟିରେ ଥିବା ୪ ଜଣଯାକ ଛିଟିକି ପଡ଼ିବା ସହ ଗୁରୁତର ଭାବେ ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ । ତେବେ ସ୍କୁଟିଟି କାରର ଆଗ ଭାଗରେ ଲାଖି ରହିଯାଇଥିଲା । ହେଲେ ମାନବିକତା ଭୂଲି ଯାଇଥିଲେ ଏହି ଯୁବ ଡାକ୍ତର । କାରକୁ ସେଠାରେ ନ ଅଟକାଇ ଖସି ପଳାଇ ଯିବାକୁ ଚେଷ୍ଟା କରିଥିଲେ ଡାକ୍ତର। କିରିବୁରୁ ଛକ ପଟକୁ ଯାଇଥିବା ରାସ୍ତାରେ ପାଖାପାଖି ୩୦୦ ମିଟର ପର୍ଯ୍ୟନ୍ତ ସ୍କୁଟିକୁ ଘୋଷାରିନେଇ ଯିବାପରେ ଡିଭାଇଡର୍ ନିକଟରେ ଅଟକି ଯାଇଥିଲା  କାର୍ । ଏହି କାରକୁ ଡ୍ରାଇଭ୍ କରୁଥିଲେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଯୁବ ଡାକ୍ତର ହିମାଂଶୁ ଝା । କାର୍ ଅଟକି ଯିବାପରେ ଲୋକେ ସେଠାରେ ଡାକ୍ତର ହିମାଂଶୁ ଝା ଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ ।

ସେପଟେ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଆହତ ମହିଳା ଓ ତାଙ୍କ ଝିଅଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ତେବେ ଏହି ଯୁବ ଡାକ୍ତର ଜଣକ ଅତ୍ୟଧିକ ମଦ୍ୟ ପାନ କରି କାର୍ ଚଲାଉଥିବା କୁହାଯାଉଛି । ବଡ଼ବିଲ ପୋଲିସ୍ ଡାକ୍ତର ଝା ଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।

Show More

Related Articles

Back to top button