କେନ୍ଦୁଝରଜିଲ୍ଲାରାଜ୍ୟ

ଝାଡ଼ଖଣ୍ଡ ଟାଟା ନଗରରୁ ବଂଶପାଣି – କେନ୍ଦୁଝରଗଡ଼ ଦେଇ ବ୍ରହ୍ମପୁରକୁ ଦୌଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ

ଯୋଡ଼ା/୦୮/୦୯ – ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ଓଡ଼ିଶାରେ ଚାଲିବ ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ଝାଡ଼ଖଣ୍ଡର ଟାଟା ନଗର ଓ ବ୍ରହ୍ମପୁର ମଧ୍ୟରେ ଦୌଡିବ ଏହି ବନ୍ଦେ ଭାରତ ଏକ୍ସପ୍ରେସ । ଏଥିପାଇଁ ସମସ୍ତ ପ୍ରକ୍ରିୟା ଏକ ପ୍ରକାର ଚୂଡ଼ାନ୍ତ ହୋଇଛି । ମଙ୍ଗଳବାର ବ୍ୟତୀତ ସପ୍ତାହକୁ ୬ ଦିନ ଚାଲିବାକୁ ଥିବା ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନଟି ଝାଡ଼ଖଣ୍ଡର ଟାଟା ନଗରରୁ ସକାଳ ୫ ଟା  ୨୦ ରେ ବାହାରି ବ୍ରହ୍ମପୁର ରେ ଦିନ ୨ ଟା ୩୦ ରେ ପହଞ୍ଚିବ । ଟାଟା ନଗରରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ୫୮୬ କିଲୋମିଟର ଦୂରତା ପାଖାପାଖି ୯ ଘଣ୍ଟାରେ ଅତିକ୍ରମ କରିବ। ସେହିପରି ବ୍ରହ୍ମପୁରରୁ ସେହିଦିନ ଦିନ ୩ ଟାରେ ବାହାରି ରାତି ୧୧ ଟା ୫୫ ମିନିଟ ସମୟରେ ଟାଟା ନଗରରେ ପହଞ୍ଚିବ ଏହି ବନ୍ଦେ ଭାରତ ଏକ୍ସପ୍ରେସ ।

ଟାଟା ନଗର – ବ୍ରହ୍ମପୁର ମାର୍ଗରେ ୧୧ ଟି ସ୍ଥାନ – ଝାଡ଼ଖଣ୍ଡର ଚାଇଁବାସା, ଡଙ୍ଗୁଆପୋଶି, କେନ୍ଦୁଝର ଜିଲ୍ଲାର ବାଂଶପାଣି, ନୟାଗଡ଼, କେନ୍ଦୁଝରଗଡ଼, ହରିଚନ୍ଦପୁର, ଯାଜପୁର ଜିଲ୍ଲାର ଯଖପୁରା, କଟକ, ଭୁବନେଶ୍ବର, ଖୋର୍ଦ୍ଧା ରୋଡ଼ ଓ ବାଲୁଗାଁ ଷ୍ଟେସନ ମାନଙ୍କରେ ରହିବ ।

ଆଜି ଏହି ଟ୍ରେନର ପୂର୍ଣ୍ଣ ଟ୍ରାଏଲ ରନ୍ ବା ପରୀକ୍ଷା ମୂଳକ ଦୌଡ଼ ଆରମ୍ଭ ହୋଇଛି । ଏହା ସକାଳ ୫ଟା ୨୦ରେ ଝାଡ଼ଖଣ୍ଡ ପ୍ରଦେଶର ଟାଟା ନଗରରୁ ବାହାରି ସକାଳ ୭ଟା ୪୩ ମିନିଟରେ ଯୋଡ଼ା ସହର ସ୍ଥିତ ବାଂଶପାଣି ରେଳ ଷ୍ଟେସନରେ ପହଞ୍ଚିଥିଲା। ଦୁଇ ମିନିଟର ରହଣି ପରେ ୭ଟା ୪୫ରେ ବାଂଶପାଣି ଷ୍ଟେସନ ଛାଡ଼ି ବ୍ରହ୍ମପୁର ଉଦ୍ଦେଶ୍ୟରେ ବାହାରିଥିଲା । ବହୁ ସଂଖ୍ୟାରେ ଯୋଡ଼ା ବାସୀ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ଦେଖିବା ପାଇଁ ବାଂଶପାଣି ଷ୍ଟେସନରେ ପହଞ୍ଚିଥିଲେ । ଖଣି ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ଏଭଳି ଟ୍ରେନ ଚାଲିବା ନେଇ ଯୋଡ଼ା ବାସୀ ଖୁସୀ ବ୍ୟକ୍ତ କରିଛନ୍ତି ।

ଏହି ବନ୍ଦେ ଭାରତ ସେବା ହାରାହାରି ଯାତ୍ରା ସମୟକୁ ଯଥେଷ୍ଟ ହ୍ରାସ କରିବ। ଏହା ଝାଡ଼ଖଣ୍ଡ ଏବଂ ଓଡିଶାକୁ ଯୋଡିବା ସହିତ ରାଜ୍ୟର ୫ଟି ଜିଲ୍ଲାକୁ ସଂଯୋଗ କରିବ । ଏଥି ସହିତ ଖଣି ବହୁଳ କେନ୍ଦୁଝର ଜିଲ୍ଲା ଲୋକଙ୍କ ବିଳାସପୂର୍ଣ୍ଣ, ଆରାମଦାୟକ, ସୁଗମ, ନିରାପଦ ଟ୍ରେନ୍ ଯାତ୍ରା କରିବାର ସ୍ୱପ୍ନକୁ ପୂରଣ ମଧ୍ୟ କରିବ। ଏହି ଟ୍ରେନ୍ ଯାତ୍ରା ତୀର୍ଥଯାତ୍ରୀ, ବ୍ୟବସାୟୀ, ଛାତ୍ର ଏବଂ ପର୍ଯ୍ୟଟକଙ୍କୁ ବହୁଳ ଭାବରେ ଉପକୃତ କରିବ।

ଆସନ୍ତା ୧୫ ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଯୋଡ଼ା, ବଡ଼ବିଲ ଏବଂ ଆଖପାଖ ଅଂଚଳର ଲୋକେ ଏହାର ଲାଭ ନେଇ ପାରିବେ ।

Show More

Related Articles

Back to top button