
ପାଟଣା, ୦୯/୦୬ – କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ସକ୍ରିୟ କାଠ ମାଫିଆ । ଦିନ ଦ୍ୱିପହରରେ ମେସିନ ଲଗାଇ ବଡ଼ ବଡ଼ ଗଛ ଗୁଡ଼ିକୁ କାଟି ନେଉଛନ୍ତି ମାଫିଆ । ସବୁ ଜାଣି ନଜାଣିଲା ଭଳି ଚୁପ୍ ବସିଛି ବନ ବିଭାଗ । ପାଟଣା ରେଞ୍ଜ କେନ୍ଦେଇପଶି ବିଟ୍ ଅନ୍ତର୍ଗତ ଜହ୍ନେଇପଶି ଗ୍ରାମ୍ୟ ଜଙ୍ଗଲରୁ ବଡ଼ବଡ଼ ଗଛ କାଟି ଟ୍ରକ ସହାୟତାରେ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି।
ମାଫିଆମାନେ ଚଞ୍ଚକତା କରି ପ୍ରଥମେ କିଛି ପଟ୍ଟା ଭୁକ୍ତ ଜାଗା ଦେଖାଇ ଗଛ କାଟିବାପାଇଁ ଅନୁମତି ପାଇବା ପରେ ସେହି ଅନୁମତି ଆଧାରରେ ଅନ୍ୟ ଅଞ୍ଚଳରେ ଥିବା ଶହ ଶହ ଗଛ କାଟି ନେଉଛନ୍ତି । ଏନେଇ ପାଟଣା ରେଞ୍ଜର ବନ ବିହାରୀ ସର୍ଦ୍ଦାରଙ୍କୁ ପଚାରିବାରୁ, ପଟା ଭୁକ୍ତ ଜାଗାରୁ ଗଛ କଟାଯାଉଥିବା କହିଥିବା ବେଳେ କଟା ଯାଇଥିବା ଗଛ ମଧ୍ୟରୁ କିଛି କାଠ ଜବତ କରାଯାଇ ଟ୍ରାକ୍ଟର ସହାୟତାରେ ଖୀରେଇଟାଙ୍ଗିରୀ ବନ କାର୍ଯ୍ୟାଳୟକୁ ଅଣାଯାଇଥିବା ସୂଚନା ଦେଇଛନ୍ତି। ଅନ୍ୟ ପଟେ ଗଛ କଟାନେଇ ପରିବେଶବିତ୍ ଅସନ୍ତୋଷ ଜାହିର କରିଥିବା ବେଳେ, କାଠ ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।