
ଯୋଡ଼ା, ୧୩/୦୫ – ଜଙ୍ଗଲର ବ୍ୟାପକ ଅବକ୍ଷୟ ଏବଂ ଜଳାଭାବ ଯୋଗୁଁ ବନ୍ୟଜନ୍ତୁ ଗାଁ ମୁହାଁ ହୋଇ ଅକାଳରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏଭଳି ଏକ ଅଭାବନୀୟ ଏବଂ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡବିଲ ରେଞ୍ଜ ଅଧିନ ବିଲେଇପଦା ସେକ୍ସନ କୁଟାରୀପଶି ଗ୍ରାମରେ । ଏହି ଗାଁରୁ ଆଜି ଏକ ଅଣ୍ଡିରା ହରିଣର ମୃତଦେହକୁ ଉଦ୍ଧାର କରିଛି ବନ ବିଭାଗ । ମୃତ ହରିଣର ଦୁଇଟିଯାକ ସିଙ୍ଗ କଟାଯାଇଥିବା ବେଳେ, ବାମପାର୍ଶ୍ୱ ଗୋଡ଼ ଓ ତଳିପେଟ ପଛପଟରେ କ୍ଷତ ହୋଇଥିବା ଦେଖିବାକୁ ମିଳିଛି ।
ହରିଣଟି ନିକଟବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟର ଜାମୁପାଣି ଓ ନେପାଙ୍ଗ ଜଙ୍ଗଲରୁ କୁଟାରୀପଶି ଅଞ୍ଚଳକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ହରିଣର ମୃତ ଦେହକୁ ଉଦ୍ଧାର କରିବା ପରେ ଯୋଡ଼ା ସ୍ଥିତ ପ୍ରାଣୀ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ସୂଚନା ଦେଇଛି ।
ସୂଚନା ଅନୁସାରେ କୁଟାରୀପଶି ଗ୍ରାମର ପଦ୍ମ ଚରଣ ମହାନ୍ତଙ୍କ ବଗିଚାରେ ଏକ ଅଣ୍ଡିରା ହରିଣ କ୍ଷତାକ୍ତ ଅବସ୍ଥାରେ ମରି ପଡ଼ିଥିବାର ଦେଖିବା ପରେ ଗ୍ରାମବାସୀ ବିଲେଇପଦା ଫରେଷ୍ଟରଙ୍କୁ ଖବର ଦେଇଥିଲେ। ସୂଚନା ପାଇ ଫରେଷ୍ଟର ମୋହିନୀ ମହାନ୍ତ ଓ ଅନ୍ୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହରିଣର ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ହରିଣର ମୃତଦେହ ଉଦ୍ଧାର କରିବା ସମୟରେ ତା’ର ସିଙ୍ଗ କାଟି ନିଆଯାଇଥିବା ଦେଖିବାକୁ ମିଳିଥିଲା । ତେବେ ପରେ କଟା ସିଙ୍ଗକୁ ବନ ବିଭାଗ ଜବତ୍ କରିଥିଲା। ସିଙ୍ଗ କିଏ କାଟିଥିଲା ଏବଂ କେଉଁଠାରୁ ମିଳିଲା ସେନେଇ ବନ ବିଭାଗ କିଛି ସ୍ପଷ୍ଟ ସୂଚନା ଦେଉନାହିଁ, ତେଣୁ ଏହି ହରିଣକୁ ଶିକାର କରାଯାଇଥିବା ସ୍ଥାନୀୟ ଜନ ସାଧାରଣ ସନ୍ଦେହ ପ୍ରକାଶ କରିଛନ୍ତି । ସେପଟେ ବନ ବିଭାଗ ଏହାକୁ ଖଣ୍ଡନ କରିବା ସହ କୁକୁର କାମୁଡ଼ା ଯୋଗୁଁ ହରିଣର ମୃତ୍ୟୁ ହୋଇଥିବା କହିଛି। ତେବେ ସିଙ୍ଗକୁ କିଏ ଓ କେଉଁ ଉଦ୍ଦେଶ୍ୟରେ କାଟିଲା ଏବଂ ସେହି ବ୍ୟକ୍ତି ଜଣକ ବିରୁଦ୍ଧରେ ବନ ବିଭାଗ ତ୍ୱରିତ ପଦକ୍ଷେପ ଗ୍ରହଣ ନ କରିବା ବନ ବିଭାଗର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ଛିଡ଼ାକରିଛି ।