କେନ୍ଦୁଝରଜିଲ୍ଲା

ବଲାଣି ଖଣି ଲିଜ୍ କ୍ଷେତ୍ରରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲା ଜନବସତି


ବଲାଣି, ୦୫/୦୫ – ବଲାଣି ଲୌହ ଖଣି ଲିଜ୍ ଅଞ୍ଚଳ ଅନ୍ତର୍ଗତ ପାନପୋଷ ଖଣି କ୍ଷେତ୍ର ନିକଟ ଲକ୍ଷ୍ମୀପୂଜା ପଡ଼ିଆ ପଛପାଖରେ ରବିବାର ସକାଳେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଦେଖୁ ଦେଖୁ ନିକଟରେ ଥିବା ଆତ୍ରୀ ହଟିଂ ପଟକୁ ନିଆଁ ବ୍ୟାପିଯାଇଥିଲା । ଜନବସତି ନିକଟରେ ଲୋକେ  ସଂଗ୍ରହ  କରି ରଖିଥିବା ଜାଳେଣି କାଠରେ ଏହା ବ୍ୟାପିବାରୁ ଦେଖୁ ଦେଖୁ ଏହା ହୁହୁ ହୋଇ ଜଳିବାକୁ ଲାଗିଥିଲା । ଏନେଇ ସ୍ଥାନୀୟ ଲୋକେ ବଲାଣି ଖଣି କର୍ତ୍ତୃପକ୍ଷଙ୍କୁ ଜଣାଇବା ସହିତ ବନବିଭାଗ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏଥିସହ ଲୋକେ ଗରା ବାଲ୍ଟି ଆଦି ସାହାଯ୍ୟରେ ପାଣି ଢାଳି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇପାରିନଥିଲା । ପରେ ବଲାଣି ଖଣିର ପରିବେଶ ଓ ଲିଜ୍ ବିଭାଗ ପକ୍ଷରୁ ମିଷ୍ଟ କ୍ୟାନନ ଭ୍ୟାନ ଦ୍ୱାରା ପାଣି ସିଞ୍ଚନ କରାଯିବା ସହିତ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ଏଥିରେ ଯଦିଓ ବିଶେଷ କିଛି କ୍ଷୟକ୍ଷତି ଘଟିନାହିଁ, ତେବେ ଲକ୍ଷ୍ମୀପୂଜା ପଡିଆ ପଛପାଖରେ ରହୁଥିବା ବୁଲୁ ବେହେରାଙ୍କ ଘରର କିଛି ଅଂଶରେ ନିଆଁ ଲାଗିବା ସହିତ ତାଙ୍କ ଘରେ ଥିବା ପ୍ଲାଷ୍ଟିକ ଡ୍ରମ ଏବଂ ଅନ୍ୟାନ୍ୟ ପାଣି ରଖିବା ପାତ୍ର ଗୁଡ଼ିକ ନଷ୍ଟ ହୋଇଯାଇଛି । ଏହା ବ୍ୟତୀତ ସେଠାରେ ଥିବା ଅନେକ ବଡ଼ବଡ଼ ବୃକ୍ଷ ଗୁଡ଼ିକର କ୍ଷୟକ୍ଷତି ହୋଇଥିବାର ସୂଚନା ରହିଛି । ତେବେ ଏହି ଅଗ୍ନିକାଣ୍ଡରୁ ଏକ ବଡ଼ ଜନବସତି ଅଳ୍ପକେ ବର୍ତ୍ତିଯାଇଛି ।

Show More

Related Articles

Back to top button