
ପାଟଣା,୦୪/୦୫ – ଟିକେଟ ନ ମିଳିବାରୁ ଦଳ ଛାଡ଼ିଲେ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଗୌରହରୀ ନାଏକ । କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଗୌରହରୀ । ସେ ତାଙ୍କ ଇସ୍ତଫାପତ୍ର ଜିଲ୍ଲା ସଭାପତିଙ୍କ ଜରିଆରେ ପ୍ରଦେଶ କଂଗ୍ରେସ କମିଟିକୁ ପଠାଇଛନ୍ତି । ତାଙ୍କ ଇସ୍ତଫା ସମ୍ପର୍କରେ ସେ ପ୍ରକାଶ କରିଛନ୍ତି ଯେ, ପାଟଣା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହେବାପାଇଁ ସେ ଇଛୁକ ଥିଲେ ଏବଂ ତାଙ୍କୁ ରାଜ୍ୟ ଏବଂ ଜିଲ୍ଲା ନେତୃତ୍ୱଙ୍କ ଠାରୁ ସମ୍ମତି ମଧ୍ୟ ମିଳିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଟିକେଟ ମିଳିଲା ନାହିଁ ।
ଶ୍ରୀ ନାଏକ ୨୦୧୪ ମସିହା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ପରାଜୟ ବରଣ କରିଥିଲେ । ଏବେ ସେ ଡୁମୁରିଆ ପଞ୍ଚାୟତର ସରପଞ୍ଚ ଏବଂ ରାଜ୍ୟ ସାଉଁତି ସମାଜର ସଭାପତି ପଦବୀରେ ରହିଛନ୍ତି।