
ବଡ଼ବିଲ, ୦୩/୦୫ – କେ. ଜେ. ଏସ୍. ଆହ୍ଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଆସାମ ପ୍ରଦେଶର ବାବୁଲ ଦାସ । ଏହି ୬ ଜଣ ଏବେ କଟକରେ ଚିକିତ୍ସିତ ହେଉଥିବା ବେଳେ, ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଓ ସେମାନଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିବା ସୂଚନା ମିଳିଛି । ଗତ କାଲି ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ବିସ୍ଫୋରଣ ଘଟି ୧୦ ଜଣ ଶ୍ରମିକ ପୋଡ଼ିହୋଇ ଗୁରୁତର ହୋଇଥିଲେ ।

ସେପଟେ ଆଜି ଫ୍ୟାକ୍ଟ୍ରି ଏଣ୍ଡ ବଏଲର ବିଭାଗର ଉପ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ସୁତାର, ସହ ନିର୍ଦ୍ଦେଶକ କେଦାରନାଥ ହାଁସଦା ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଏସ୍ ଏନ୍ ମଲ୍ଲି କେ. ଜେ. ଏସ୍. ଆହ୍ଲୁୱାଲିଆ ପ୍ଲାଣ୍ଟକୁ ଯାଇ ଘଟଣାର ତଦନ୍ତ କରିଛନ୍ତି । ଏହି ସମୟରେ ଗଣ ମାଧ୍ୟମ ପ୍ରତିନିଧି କିମ୍ବା ସାଧାରଣ ଲୋକଙ୍କୁ ପ୍ଲାଣ୍ଟ ପରିସରକୁ ଯିବାକୁ ଅନୁମତି ଦେଇ ନଥିଲେ କାରଖାନା କର୍ତ୍ତୃପକ୍ଷ । ତେବେ ଫ୍ୟାକ୍ଟ୍ରି ଏଣ୍ଡ ବଏଲର ବିଭାଗ ଅନୁସନ୍ଧାନ କରି କେଉଁ ସବୁ ତଥ୍ୟ ପାଇଲେ ଏବଂ ବିଭାଗ କି ପଦକ୍ଷେପ ଗ୍ରହଣ କରିଛି ସେନେଇ ଆମେ ଜାଣିବାକୁ ଚେଷ୍ଟା କରିଥିଲୁ । ଫ୍ୟାକ୍ଟ୍ରି ଏଣ୍ଡ ବଏଲର ବିଭାଗର ଉଭୟ ଉପ ନିର୍ଦ୍ଦେଶକ ଏବଂ ସହ ନିର୍ଦ୍ଦେଶକଙ୍କୁ ବହୁବାର ଫୋନ୍ କରି ଥକି ଯାଇଥିଲୁ। ଫୋନ୍ ଯେତେ ରିଂ ହେଲେବି ସେମାନେ ଫୋନ୍ ରିସିଭ୍ କରିନଥିଲେ ।

ଅନ୍ୟପଟେ ଆଜି କେ. ଜେ. ଏସ ଆହ୍ଲୁଆଲିଆ ଶ୍ରମିକ ସଂଘ ପକ୍ଷରୁ ଏକ ବୈଠକ କରାଯିବା ପରେ ୫ ଦଫା ଦାବି ଉପସ୍ଥାପନ କରାଯାଇଛି । ଦୁର୍ଘଟଣାରେ ଶ୍ରମିକର ମୃତ୍ୟୁହେଲେ ମୃତକର ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାରର ଜଣଙ୍କୁ ସ୍ଥାୟୀ ନିଯୁକ୍ତି, ସାମାନ୍ୟ ଆହତଙ୍କୁ ୫ ଲକ୍ଷ ସହ ସ୍ଥାୟୀ ନିଯୁକ୍ତି, ଠିକା ସଂସ୍ଥାକୁ କାର୍ଯ୍ୟରୁ ନିବୃତ ରଖିବା, କମ୍ପାନୀ ପରିଚାଳନା ନିର୍ଦ୍ଦେଶକଙ୍କ ତତ୍ତ୍ଵାବଧାନରେ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ଆଦି ୫ ଦଫା ଦାବି ଉପସ୍ଥାପନ କରାଯାଇଛି ।
