
ପାଟଣା, ୦୩/୦୫ – ନିର୍ବାଚନ ଯେତିକି ପାଖଉଛି ପାଟଣା ବିଜେପିରେ ଅସନ୍ତୋଷ ସେତିକି ବୃଦ୍ଧି ପାଉଛି । ଆଜି ପାଟଣା ବିଜେପି ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକ ପ୍ରାର୍ଥୀପତ୍ର ଦାଖଲ କରିବାର କିଛି ସମୟପରେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ନାଏକ ବିଜେପିରୁ ଇସ୍ତଫା ଦେଇଥିବା ଜଣା ପଡ଼ିଛି। ଦଳ ତାଙ୍କୁ କୌଣସି ସାଂଗଠନିକ ଦାଇତ୍ୱ ଦେଉ ନଥିବା ସହ ଅଣଦେଖା କରୁଥିବା ଦର୍ଶାଇ ତାଙ୍କ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନିକଟକୁ ପଠାଇଛନ୍ତି। ସତ୍ୟବ୍ରତ ୨୦୦୪ ମସିହା ନିର୍ବାଚନରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇ ଥିବା ବେଳେ ୩୮ ହଜାର ଭୋଟ ପାଇଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ସେ ୨୧ ନମ୍ବର ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇ ପ୍ରଫୁଲ୍ଲ ଚନ୍ଦ୍ର ନାଏକଙ୍କ ଠାରୁ ପରାସ୍ତ ହୋଇଥିଲେ। ସତ୍ୟବ୍ରତ ପୁର୍ବତନ ବିଧାୟକ କାହ୍ନୁଚରଣ ନାଏକ ଏବଂ ବର୍ତ୍ତମାନର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକଙ୍କ ବଡ଼ଭାଇ। ତେବେ ସେ ତାଙ୍କ ଇସ୍ତଫା ଦେବାର କିଛି ସମୟ ପରେ ଭାଇ ଜଗନ୍ନାଥଙ୍କ ସହ ଫୋଟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ସେ ଆଗକୁ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଯୋରଧରିଛି ।
