
କେନ୍ଦୁଝର, ୦୨/୦୫ – କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା, ବରପଦା ଠାରେ ଥିବା କେ. ଜେ. ଏସ୍. ଆହ୍ଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ । ଆଜି ଅପରାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ନେସରୁ ତରଳ ଲୁହା ଛିଟିକିଥିଲା । ସେଠାରେ କାମରେ ନିୟୋଜିତ ଥିବା ଶ୍ରମିକଙ୍କ ଉପରେ ଏହି ତରଳ ପଦାର୍ଥ ପଡ଼ିବାରୁ ସେମାନଙ୍କ ମଧ୍ୟରୁ ୧୦ ଜଣ ଶ୍ରମିକ ପୋଡ଼ିହୋଇ ଗୁରୁତର ଆହତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବା କୁହାଯାଉଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ତେବେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଯୋଗୁଁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ଆହତମାନେ ହେଲେ, ସୁନ୍ଦରଗଡର କେ ବଲାଙ୍ଗ ଅଞ୍ଚଳର ଛବିରାମ ମୁଣ୍ଡା, ଆସାମର ରାଜୁ ଦାସ, ପ୍ରହଲ୍ଲାଦ ଦାସ, ଦେବେନ୍ ବକଲାରିଆ, ବାବୁଲାଲ ଦାସ, ଟୋପାଡିହିର ଶଙ୍କର ସୋରେନ, ବିହାର ଔରଙ୍ଗାବାଦର ବିଜୟ ସିଂ, ଆସାମର ଧୁରବାଜୋତି ଦାସ, ଝାଡଖଣ୍ଡ ଜାମବାହାଲର ବାଙ୍କିରୀ ଭଦ୍ରା, ଚମ୍ପୁଆର ଚନ୍ଦନ ହେମ୍ବ୍ରମ, ମୟୂରଭଞ୍ଜ ରାଇରଙ୍ଗପୁରର ସୁରଜ ଭୁୟାଁ ।
ସୁରକ୍ଷାରେ ଅବହେଳା କାରଣରୁ ବାରମ୍ବାର ଏହି ପ୍ଲାଣ୍ଟରେ ବିସ୍ଫୋରଣ ଘଟି ଶ୍ରମିକଙ୍କ ଜୀବନ ହାନି ଘଟୁଥିଲେ ବି ପ୍ଲାଣ୍ଟ କର୍ତ୍ତୃପକ୍ଷ ଚେତୁ ନାହାନ୍ତି । ଗତ ୨୦୧୭ ମସିହାରେ ଇଣ୍ଡକ୍ସନ ଫର୍ନେସରେ ବିସ୍ଫୋରଣ ଘଟି ଶ୍ରମିକଙ୍କ ମୃତ୍ୟୁ ଘଟିଥିଲାବେଳେ, ଗତ ଜାନୁଆରୀ ମାସରେ ପୁଣି ବିସ୍ଫୋରଣ ଘଟିଥିଲା । ସେପଟେ ଫ୍ୟାକ୍ଟ୍ରି ଏଣ୍ଡ ବଏଲର ଡିପାର୍ଟମେଣ୍ଟ ନିୟମିତ ରୂପେ ତଦାରଖ କରୁ ନଥିବାରୁ ଏଭଳି ଦୁର୍ଘଟଣାମାନ ଘଟୁଥିବାନେଇ ଅଭିଯୋଗ ହୋଇଆସୁଛି । ସଂପୃକ୍ତ ବିଭାଗୀୟ ଅଧିକାରୀ ଏବଂ ପ୍ଲାଣ୍ଟର ମାନବ ସମ୍ବଳ ଅଧିକାରୀଙ୍କୁ ଆମେ ତାଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେହେଁ ସେମାନେ ଆମ ଫୋନ୍ ରିସିଭ କରି ନଥିଲେ । ତେବେ ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ପ୍ଲାଣ୍ଟ ବିରୁଦ୍ଧରେ ଉପଯୁକ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।