
କେନ୍ଦୁଝର,/୦୨/୦୫ – ମୃତ ଶାବକକୁ ଜନ୍ମଦେଇ ନପାରି ପ୍ରସବ ବେଦନାରେ ଛଟପଟ ହେଉଥିବା ମା’ ହାତୀର ମୃତ୍ୟୁ । ଏଭଳି ଅଭାନୀୟ ଆଉ ଦୁଃଖଦ ଘଟଣା ଘଟିଛି ଚମ୍ପୁଆ ରେଞ୍ଜ ବାମେବାରୀ ସେକ୍ସନ୍ ଅନ୍ତର୍ଗତ ବସନ୍ତପୁର ରେଂଗଟା ସାହି ନିକଟ ଜଙ୍ଗଲରେ । ଗତକାଲି ଠାରୁ ଏହି ମା’ ହାତୀ ପ୍ରସବ ବେଦନାରେ ଛଟପଟ ହେଉଥିବା ନେଇ ବନ ବିଭାଗ ଜାଣିବାକୁ ପାଇଥିଲା । ହାତୀ ଶାବକର ଗୋଡ଼ ଦୁଇଟି ବାହାରକୁ ବାହାରି ରହିଥିଲାବେଳେ, ମା ହାତୀ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲା । ଏପରି ଅବସ୍ଥା ଦେଖି ଆଜି ସକାଳୁ ଉଦ୍ଧାର ଓ ଉପଚାର କାର୍ଯ୍ୟ ଆରମ୍ଭ କରିଥିଲା ବନ ବିଭାଗ । ବନ ଅଧିକାରୀ, ପ୍ରାଣୀ ଚିକିତ୍ସକଙ୍କ ସହ ବନ୍ୟଜନ୍ତୁ ବିଶେଷଜ୍ଞ ଘଟଣା ସ୍ଥଳରେ ପହଞ୍ଚି ମୃତ ହାତୀ ଶାବକକୁ ସଫଳତାର ସହିତ ବାହାରକୁ ବାହାର କରିଥିଲେ । ଏଥିସହିତ ମା’ ହାତୀର ଚିକିତ୍ସା ମଧ୍ୟ ଆରମ୍ଭ କରାଯାଇଥିଲା । ତେବେ ମା’ ହାତୀ ଆଉ ନିଜ ଗୋଡ଼ରେ ଠିଆ ହେବାପାଇଁ ସମର୍ଥ ହୋଇପାରି ନଥିଲା । ଶେଷରେ ଆଜି ଦିନ ୧୨ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ମା’ ହାତୀଟି ସବୁଦିନପାଇଁ ଆଖି ବୁଜି ଦେଇଥିଲା । ଏହି ଘଟଣା ପରେ ବନ୍ୟଜନ୍ତୁ ପ୍ରେମୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।