
ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ; ଗୁରୁବାର ଚୂଡ଼ାନ୍ତ ନିଷ୍ପତ୍ତି !
ନୂଆଦିଲ୍ଲୀ/୧୩/୦୩ – ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହେବାନେଇ ବିଭିନ୍ନ କଳ୍ପନା କଳ୍ପନା ଉପରେ ଖୁବ୍ ଶୀଘ୍ର ବିରାମ ଲାଗିବ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ବିଜେଡି ମଧ୍ୟରେ ସିଟ୍ ଭାଗବଣ୍ଟା ବିଷୟରେ ଆଲୋଚନା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି, କେବଳ ଘୋଷଣା ବାକିରହିଛି । ସୂତ୍ରରୁ ପ୍ରକାଶ ଯେ ଲୋକସଭା ଆସନ ପାଇଁ ବୁଝାମଣା ଉଭୟ ଦଳ ମଧ୍ୟରେ ସ୍ଥିର ହୋଇସାରିଛି, କିନ୍ତୁ ବିଧାନସଭା ଆସନ ସମ୍ପର୍କରେ ଏପର୍ଯ୍ୟନ୍ତ ସହମତି ହୋଇପାରି ନାହିଁ।ଖବର ମୁତାବକ ଏହି ଦ୍ୱନ୍ଦ୍ୱ ଗୁରୁବାର ସମାଧାନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

୧୪୭ ବିଧାନସଭା ଏବଂ ୨୧ ଲୋକସଭା ପାଇଁ ଆସନ ଭାଗବଣ୍ଟା ନେଇ ଦୁଇ ଦଳ ବିଜେପି ଏବଂ ବିଜେଡି ମଧ୍ୟରେ ଏକ ସପ୍ତାହରୁ ଅଧିକ ସମୟ ଧରି ଆଲୋଚନା ଜାରୀ ରହିଥିଲାବେଳେ, ବିଧାନସଭା ନିର୍ବାଚନକୁ ନେଇ କୌଣସି ସହମତି ହୋଇପାରି ନାହିଁ । ବୁଧବାର ସନ୍ଧ୍ୟାରେ ଓଡିଶା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସମେତ ରାଜ୍ୟ ବିଜେପିର ଏକ ଟିମ୍ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ।
ଖବର ରହିଛି ଯେ, ଲୋକସଭା ପାଇଁ ବିଜେପି ୧୪ ଟି ଏବଂ ବିଜେଡି ୭ଟି ଆସନରେ ଲଢିବା ପାରନ୍ତି । କିନ୍ତୁ ବିଧାନସଭା ଆସନ ଭାଗ ବଣ୍ଟାରେ ଉଭୟ ଦଳ ସହମତ ହୋଇ ନାହାନ୍ତି । ସୂତ୍ରରୁ ପ୍ରକାଶ ଯେ ବିଜେପି ଅତି କମରେ ୪୯ ଟି ସିଟ୍ ଦାବି କରୁଥିବାବେଳେ ୧୪୭ ଟି ସିଟ୍ ମଧ୍ୟରୁ ୩୫ ରୁ ଅଧିକ ସିଟ୍ ଦେବାକୁ ବିଜେଡି ପ୍ରସ୍ତୁତ ନାହିଁ । ସେପଟେ ବିଜେପିର ରାଜ୍ୟ ନେତୃତ୍ୱ ବିଜେଡିର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି, ତଥାପି କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ପରେ ମିଳିତ ପ୍ରସ୍ତାବ ଉପରେ ଏକ ସହମତି ପ୍ରକାଶ ପାଇପାରେ ।
ଏ ସମ୍ପର୍କରେ କିଛି ବିଜେପି ନେତା ସୂଚନା ଦେଇଛନ୍ତି ଯେ, ପିଏମ ମୋଦୀ ଗୁରୁବାର ଦିନ ଏନଡିଏ ବିସ୍ତାର କରିବାର ସଂକଳ୍ପ ନେଇଥିବାରୁ ମେଣ୍ଟ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରନ୍ତି । ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଯାଇ ବିଜେପିର ବରିଷ୍ଠ ନେତାଙ୍କ ସହ ଆସନ ବୁଝାମଣା ନେଇ ଆଲୋଚନା କରିବାର ମଧ୍ୟ ସମ୍ଭାବନା ରହିଛି । ସେପଟେ ଏହା ବି ସୂଚନା ଆସୁଛି ଯେ, ବିଜେଡି ସୁପ୍ରିମୋ ଗୁରୁବାର ନବୀନ ନିୱାସରେ ଦଳର ବରିଷ୍ଠ ନେତାଙ୍କ ବୈଠକ ଡାକିଛନ୍ତି । ବୈଠକ ପରେ ସେ ଦିଲ୍ଲୀ ଯିବାର ସମ୍ଭାବନା ରହିଛି ।