କେନ୍ଦୁଝରଜିଲ୍ଲା

ବଡ଼ବିଲ ସହରରେ ଜଳ ସଙ୍କଟ ! ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଉଠିପାରୁନାହିଁ ପାଣି, ଜେନେରେଟର ଅଛି କିନ୍ତୁ ତେଲ ନାହିଁ

ବଡ଼ବିଲ, ୨୯/୦୪ – ଗୋଟିଏ ପଟେ ପ୍ରବଳ ଖରା ତା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ କଲବଲ କରୁଥିବା ବେଳେ, ଜଳ ସଙ୍କଟ ଲୋକଙ୍କ କଷ୍ଟକୁ ଦ୍ଵିଗୁଣିତ କରିଛି । ବଡ଼ବିଲ ସହରରେ ଦେଖାଦେଇଛି ଜଳ ସଙ୍କଟ । ଗତ କାଲି ଠାରୁ ବଡ଼ବିଲ ପୌରାଞ୍ଚଳର ୭୦ ପ୍ରତିଶତ ଅଞ୍ଚଳକୁ ଜଳ ଯୋଗାଣ ଠପ୍ ହୋଇଯାଇଛି । ଜନ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ପାନୀୟ ଜଳ ଯୋଗାଇବାରେ ଅସମର୍ଥ ହୋଇଛି । ଜଳାଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗକରୁଛନ୍ତି । ଗୋଟିଏ ପଟେ ୨୪ ଘଣ୍ଟା ପାନୀୟ ଜଳ ଯୋଗାଇ ଦିଆଯିବା କଥା କୁହାଯାଉଥିବାବେଳେ, ସମସ୍ତ ପ୍ରକାର ସଂସାଧନ ଥାଇ ମଧ୍ୟ ଲୋକଙ୍କୁ ଜଳ ଯୋଗାଣ କରିପାରୁନି ଜନ ସ୍ୱାସ୍ଥ୍ୟ ବିଭାଗ । ଲୋକଙ୍କୁ ଖରା ଦିନରେ ହନ୍ତସନ୍ତ ହେବାକୁ ପଡୁଛି । ପାଖରେ ଥିବା ଲୋକଙ୍କ ନିଜସ୍ୱ ବୋରିଂରୁ କେହି କେହି ମାଗିଯାଚି ଚଳି ଯାଉଛନ୍ତି ତ ଆଉ କେହି ଟଙ୍କା ଦେଇ ପାଣି କିଣିବାକୁ ବାଧ୍ୟ ହେଉଛନ୍ତି । ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବଡ଼ବିଲ ମ୍ୟୁନିସିାଲିଟି ଅଞ୍ଚଳରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଆପତକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ବର୍ଷ ତଳେ ୨ଟି ୧୦୦ କେଭିଏ ବିଶିଷ୍ଟ ନୂତନ ଜେନେରେଟର ସେଟ୍ ମଧ୍ୟ କିଣାଯାଇଛି, ହେଲେ ଜେନେରେଟର ସେଟ୍ ପାଇଁ ଆବଶ୍ୟକ ଇନ୍ଧନର ବ୍ୟବସ୍ଥା ହୋଇପାରୁନି । ବିଦ୍ୟୁତ୍ ବିଭ୍ରାଟ ହେଲେ ପୁରାପୁରି ଠପ୍ ହୋଇଯାଉଛି ଜଳ ଯୋଗାଣ । ତେଲ କିଏ ଦେବ ସେହି ଚିନ୍ତା ଘାରିଛି ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ।

ଜେନେରେଟର

ସେପଟେ ଜନ ସ୍ୱାସ୍ଥ୍ୟ ବିଭାଗ ଏଭଳି ପରିସ୍ଥିତିରେ ଆଦୌ ସମ୍ବେଦନ ନଥିଲା ପରି ମନେହେଉଛି । ଏନେଇ ଆମେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବୈଦ୍ୟନାଥ ମାଝୀଙ୍କ ପ୍ରତିକ୍ରିୟା ନେଇଥିଲୁ । ତାଙ୍କର କହିବା କଥା ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପମ୍ପ୍ ହାଉସରୁ ପାଣି ଉଠିପାରୁନାହିଁ । ବିଦ୍ୟୁତ୍ ଠିକ୍ ରହିଲେଯାଇ ଜଳ ଯୋଗାଣ କରିହେବ । ଜେନେରେଟ ତ ଅଛି, କିନ୍ତୁ ତେଲ ନଥିବା କାରଣରୁ ଜେନେରେଟର ଚାଲି ପାରୁନାହିଁ । କଣ୍ଟ୍ରାକ୍ଟର ଜେନସେଟ୍ ଚଲାଉନାହାନ୍ତି ।

ସେପଟେ  ନିଜ ମୁଣ୍ଡ ଉପରୁ ଦୋଷ ଖସାଇବାକୁ ଯାଇ ଏସ ଡି ଓ କାଶୀନାଥ ବେଶ୍ରାଙ୍କ କହିଛନ୍ତି ଯେ, ଜେନେରେଟର ଚଲାଇବା ପାଇଁ ଟେକ୍ନିସିଆନ ନାହାନ୍ତି, ତଥାପି ଚଲାଇ ହେବ । କନିଷ୍ଠ ଯନ୍ତ୍ରୀଙ୍କୁ କହିଛୁ ଜେନେରେଟର ଚଲାଇବାପାଇଁ । ଏବିଷୟରେ ମୁଁ ଜେଇଙ୍କ ସହ କଥା ହେଉଛି ବୋଲି ସେ କହିଥିଲେ ।

ତେବେ ନିର୍ବାଚନ ସମୟରେ ଯଦି ଏଭଳି ଅବସ୍ଥା, ନିର୍ବାଚନ ପରେ କ’ଣ ହେବ ତାହା ଏଥିରୁ ସ୍ପଷ୍ଟ ବାରିହେଉଛି । ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇ ସହରବାସୀଙ୍କୁ ପାନୀୟ ଜଳ ଯୋଗାଇ ବେବାକୁ ଜନ ସାଧାରଣ ଦାବି ଜଣାଇଛନ୍ତି ।

Show More

Related Articles

Back to top button