ରାଜନୀତିରାଜ୍ୟ

ଚମ୍ପୁଆ ବିଧାନସଭା ଆସନରୁ ପୁଣି ଥରେ ବିଜେପି ପ୍ରାର୍ଥୀ ହେଲେ ମୁରଲୀ

ସନାତନଙ୍କ ସହ ହେବ ସିଧା ଟକ୍କର

ବ୍ୟୁରୋ-୨୭/୦୪ – ପୁଣିଥରେ ଭାରତୀୟ ଜନତା ପାର୍ଟି ମୁରଲୀ ମନୋହର ଶର୍ମାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ତୃତୀୟ ଥର ବିଜେପି ଟିକେଟରେ ଚମ୍ପୁଆରୁ ପ୍ରାର୍ଥୀ ହୋଇଛନ୍ତି ମୁରଲୀ । ୨୦୦୯ରେ ଚମ୍ପୁଆ ଆସନଟି ଅଣସଂଗ୍ରକ୍ଷିତ ହେବାପରେ  ଦଳୀୟ ଟିକେଟରେ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ ମୁରଲୀ ।  ୧୮,୮୮୧ ଖଣ୍ଡ ଭୋଟପାଇ ସେ ଚତୁର୍ଥ ସ୍ଥାନରେ ରହିଥିଲେ । ୨୦୧୪ରେ କିନ୍ତୁ ଦଳ ତାଙ୍କୁ ଟିକେଟ ଦେଇ ନଥିଲା । ତାଙ୍କ ପରିବର୍ତ୍ତେ ଗିରିଶ ଚନ୍ଦ୍ର ମହାନ୍ତଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ଏହି ନିର୍ବାଚନରେ ଗିରିଶ ମାତ୍ର ୭,୦୭୦ ଖଣ୍ଡ ଭୋଟପାଇ ଶୋଚନୀୟ ଭାବେ ହାରିଥିଲେ । ଏହାପରେ ଗତ ୨୦୧୯ ରେ ମୁରଲୀ ଦ୍ଵିତୀୟ ଥର ପାଇଁ ପଦ୍ମ ଟିକେଟରେ ନିର୍ବାଚନ ଲଢିଥିଲେ । ସେତେବେଳେ ବିଜେଡିର କିଛି ଅସନ୍ତୁଷ୍ଟ ନେତା ତାଙ୍କୁ ପରୋକ୍ଷରେ ସାହାଯ୍ୟ କରିଥିଲେ, ଯାହାଫଳରେ ସେ ୬୩,୧୧୭ଟି  ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସନାତନ ମହାକୁଡ଼ଙ୍କ ସମର୍ଥିତ ତଥା ବିଜେଡି ପ୍ରାର୍ଥୀ ମିନାକ୍ଷୀ ମହାନ୍ତ ସର୍ବାଧିକ ୮୯,୫୨୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ ।

ଏଥର ଚମ୍ପୁଆ ଆସନରୁ ବିଜେପି ଟିକେଟ ପାଇଁ ଅନେକ ଆଶାୟୀ ରହିଥିଲାବେଳେ, ସନାତନ ମହାକୁଡ଼ ଦଳରେ ମିଶିବା ନେଇ ଚର୍ଚ୍ଚା ଯୋର୍ ଧରିଥିଲା । କୁଆଡ଼େ ମୁରଲୀଙ୍କ ବିରୋଧୀ ଗୋଷ୍ଠୀ ଚାହୁଁଥିଲେ ଯେ, ସନାତନ  ବିଜେପି ଦଳରେ ଯୋଗଦେଇ ଚମ୍ପୁଆରୁ ପଦ୍ମ ଚିହ୍ନରେ ଲଢନ୍ତୁ । କିନ୍ତୁ ସନାତନ ବିଜେଡି ଟିକେଟ ହାତେଇବା ପରେ ମୁରଲୀଙ୍କ ବାଟ ସଫା ହୋଇ ଯାଇଥିଲା, ଆଉ ଆଜି ତାଙ୍କ ନାଁ ଘୋଷଣା କରିଛି ବିଜେପି ।

ଏହି ନିର୍ବାଚନରେ ତାଙ୍କର ସିଧା ଲଢେଇ ବିଜେଡି ପ୍ରାର୍ଥୀ ସନାତନ ମହକୁଡ଼ଙ୍କ ସହିତ ହେବାକୁ ଯାଉଛି । ନିର୍ବାଚନ ବୈତରଣୀ ପାର୍ ହେବାକୁ ହେଲେ ମୁରଲୀଙ୍କୁ କଠିନରୁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ରାଜାନୈତିକ ବିଶାରଦମାନେ ମତ ବ୍ୟକ୍ତ କରିଛନ୍ତି ।

Show More

Related Articles

Back to top button