
ବଡ଼ବିଲରେ ଚାଞ୍ଚଲ୍ୟ; ଘରେ ପଶି ଯୁବକଙ୍କ ପାଟିରେ ବନ୍ଧୁକ ପୁରାଇ ଛୁରାମାଡ଼, ଯୁବକ ଗୁରୁତର
ବଡ଼ବିଲ, ୨୪/୦୪ – ବଡ଼ବିଲରେ ଚାଞ୍ଚଲ୍ୟ । ସ୍ପଷ୍ଟ ଦିବାଲୋକରେ ଘରେ ପଶି ଯୁବକଙ୍କ ପାଟିରେ ବନ୍ଧୁକ ପୁରାଇ ଛୁରା ମାଡ଼ । ବଡ଼ବିଲ ପୌରାଞ୍ଚଳ ୮ ନଂ ୱାର୍ଡ଼ ଭଞ୍ଜ କଲୋନୀରେ ଏହି ଅଭାବନୀୟ ଘଟଣା ଘଟିଛି । ଛୁରା ମାଡ଼ରେ ଗୁରୁତର ଆହତ ହୋଇଥିବା ଯୁବକ ହେଉଛନ୍ତି ଶାରଦା ମାଇନ୍ସର କର୍ମଚାରୀ ଅନୁପ ବିଶ୍ଵକର୍ମା । ତାଙ୍କୁ ପ୍ରଥମେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ଓ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁଯାୟୀ, ଅନୁପ ବିଶ୍ଵକର୍ମାଙ୍କ ସ୍ତ୍ରୀ ଓ ପିଲାମାନେ ଗାଁକୁ ଯାଇଥିବା ବେଳେ ସେ ଏକାକୀ ଭଞ୍ଜ କଲୋନୀ ସ୍ଥିତ ନିଜ ଘରେ ରହୁଥିଲେ । ଅନୁପଙ୍କ କହିବା ମୁତାବକ ଆଜି ସକାଳ ପ୍ରାୟ ୧୦ଟା ସମୟରେ ସେ ଏକାକୀ ଘରେ ଥିଲାବେଳେ, ପଛପଟ ପାଚେରୀ ଡେଇଁ ହଠାତ୍ ୩ ଜଣ ଦୃବୃର୍ତ୍ତ ତାଙ୍କ ଘର ଭିତରେ ପଶିବା ସହିତ ତାଙ୍କୁ କାବୁ କରିନେଇ ପାଟିରେ ବନ୍ଧୁକ ପୁରାଇ ଦେଇଥିଲେ ଏବଂ ଘରେ ଯାହା ଟଙ୍କା ପଇସା ଅଛି ଦେଇଦେବାକୁ କହିଥିଲେ । ତେବେ ସେ ପ୍ରତିବାଦ କରିବାରୁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଓ ଅନୁପଙ୍କୁ ସେମାନେ ଛୁରୀରେ ଭୂଷୀ ପକାଇଥିଲେ । ଅନୁପଙ୍କ ତଳି ପେଟରେ ୪ ଥର ଏବଂ ଗୋଡ଼ରେ ଗୋଟିଏ ଥର ଛୁରା ମାଡ଼କରିଥିଲେ ଦୃବୃର୍ତ୍ତ । ତେବେ ଅନୁପ ହାର ନମାନି ଜଣେ ଦୃବୃର୍ତ୍ତଙ୍କ ପାଖରୁ ଗୋଟିଏ ଛୁରୀ ଛଡ଼ାଇନେଇ ବାହାରକୁ ଧାଇଁ ଆସିଥିଲେ, ଫଳରେ ଦୃବୃର୍ତ୍ତମାନେ ଘଟଣାସ୍ଥଳରୁ ପଳାୟନ କରିଥିଲେ । ସ୍ଥାନୀୟ ଲୋକେ ସଙ୍ଗେସଙ୍ଗେ ତାଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଖବର ପାଇ ବଡ଼ବିଲ ପୋଲିସ୍ ଘଟଣାର ତନାଘନା ଆରମ୍ଭ କରିଛି । ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ଦୃବୃର୍ତ୍ତଙ୍କୁ ଧରିବାପାଇଁ ଚେଷ୍ଟା ଚଳାଇଛି ।
