

ପାଟଣା/୧୩/୦୩ – ଜୀବନ ଫେରିବା ଆଶାରେ ଅନ୍ଧବିଶ୍ଵାସର ବଶବର୍ତ୍ତିହୋଇ ମୃତ ଶିଶୁକନ୍ୟାକୁ ଚେଙ୍କ ଦେଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ପୁରନ୍ଦରପୁର ଗ୍ରାମରେ । ମୃତ ଦୁଇ ଶିଶୁକନ୍ୟା ହେଲେ ଟଙ୍କଧର ମହାରଣା ଓ ଶାନ୍ତିଲତା ମହାରଣାଙ୍କ ଚାରିବର୍ଷର ମଝିଆଁ ଝିଅ ଇତିଶ୍ରୀ ଏବଂ ଦୁଇବର୍ଷର ସାନ ଝିଅ ଲିପି । ଗତକାଲି ଅପରାହ୍ନରେ ହଠାତ୍ ମଝିଆ ଝିଅ ଇତିଶ୍ରୀର ଝାଡ଼ା ବାନ୍ତି ହୋଇଥିଲା ଓ ପରେ ପରେ ସାନ ଝିଅର ମଧ୍ୟ ବାନ୍ତି ହୋଇଥିଲା ।

ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସଂଧ୍ୟାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ପରିବାର ଲୋକେ। ହେଲେ ମେଡିକାଲ ନେବା ବାଟରେ ମଝିଆ ଝିଅର ମୃତ୍ୟୁ ହୋଇଥିବାବେଳେ, ସାନ ଝିଅର ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା । ତେବେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ପରିବାର ଲୋକେ ମୃତ ସାନ ଝିଅକୁ ଘରକୁ ଆଣି ଜୀବନ ଫେରିବା ଆଶାରେ ମୃତଦେହରେ ଭାଲିଆ ଚେଙ୍କ ଦେଇ ନିରାଶ ହୋଇଥିଲେ । ଦୁଇ ଭଉଣୀଙ୍କ ଅକାଳ ମୃତ୍ୟୁ ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ଉଭୟଙ୍କ ଏଭଳି ହଠାତ୍ ମୃତ୍ୟୁ ହେବା ପଛର ପ୍ରକୃତ କାରଣ ଜଣାପଡ଼ି ନଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।