
ବଡ଼ବିଲ,୨୩/୦୪ – ରାଜ୍ୟରେ ବଢୁଛି ଖରା । ତାତି ବୃଦ୍ଧି ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି । ଲୋକଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇବାପାଇଁ ସ୍ଥାନୀୟ ପ୍ରଶାସନ ଓ ସ୍ୱେଚ୍ଛାସବୀ ସଙ୍ଗଠନ ଗୁଡ଼ିକ ପକ୍ଷରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲା ଯାଇଛି । ଏହି ମର୍ମରେ ସାଧାରଣ ଲୋକ ତଥା ପଥଚାରୀ ମାନଙ୍କୁ ଶୀତଳ ପାନୀୟ ଜଳ ଯୋଗାଇବା ପାଇଁ ନିଆରା ପ୍ରୟାସ ଆରମ୍ଭ କରିଛି ବଡ଼ବିଲର ‘ସେବା ଗ୍ରୁପ୍’ ସଂଗଠନ । ‘ସେବା ଗ୍ରୁପ୍’ ତରଫରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ଥଣ୍ଡା ପାନୀୟ ଜଳ ସେବା ।
ସଂଗଠନ ତରଫରୁ ଏକ ଟ୍ରଲି ରିକ୍ସାରେ ଥଣ୍ଡା ପାନୀୟ ଜଳ ଯୋଗାଣ କରାଯାଉଛି । ବିଶେଷକରି ବଡ଼ବିଲ ଦୈନିକ ଏବଂ ସାପ୍ତାହିକ ହାଟକୁ ଆସୁଥିବା କ୍ଷୁଦ୍ର ଚାଷୀ, ପରିବା ବ୍ୟବସାୟୀ ଏବଂ ଜନସାଧାରଣଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା କରାଯାଇଛି ।
‘ସେବା ଗ୍ରୁପ୍’ର ଏଭଳି ନିଆରା ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଥିବା ବେଳେ, ପିଇବା ପାଣି ପାଇଁ କଷ୍ଟ ଭୋଗୁଥିବା ଲୋକଙ୍କ ପାଖରେ ଏହା ସହଜରେ ପହଞ୍ଚି ପାନୀୟ ଜଳ ଯୋଗାଇ ପାରୁଛି । ଏଥି ସହିତ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ତଥା ଛକ ସ୍ଥାନମାନଙ୍କରେ ଏହି ଭ୍ରାମ୍ୟମାଣ ପାନୀୟ ଜଳ ସେବା ଯୋଗାଇଦେଲେ ତୃଷାର୍ତ୍ତ ଲୋକେ ଉପକୃତ ହୋଇ ପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।