
ଯୋଡା-୨୧/୦୪ – କେନ୍ଦୁଝର ଜିଲ୍ଲା ଯୋଡା ସହରରେ ନୂତନ କରି ନିର୍ମାଣହୋଇଥିବା ରାଜ୍ୟର ଦୀର୍ଘତମ ଫ୍ଲାଏ ଓଭର ଉପରେ ରବିବାର ଏକ ବୋଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବୋଲେରୋ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଥିବାବେଳେ ଆହତଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରିନାହିଁ ।
ପ୍ରାପ୍ତ ସୂଚନା ଅନୁଯାୟୀ, ପଞ୍ଜିକରଣ ନମ୍ବର OD 09 A 9273 ବୋଲେରୋଟି ଫ୍ଲାଏ ଓଭର ଉପରେ ଯାଉଥିବା ସମୟରେ ଏକ ବାଙ୍କ (ଟର୍ଣିଙ୍ଗ) ରାସ୍ତାରେ ଭାରସାମ୍ୟ ହରାଇ ଓଲଟିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଗତ ମାର୍ଚ୍ଚ ୧୧ ତାରିଖରେ ରାଜ୍ୟର ଏହି ଦୀର୍ଘତମ ଫ୍ଲାଏ ଓଭରକୁ ଲୋକାର୍ପିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେବେଠାରୁ ଆଶଙ୍କା କରାଯାଉଥିଲା ଯେ, ଫ୍ଲାଏ ଓଭର ଉପରେ ଥିବା ଅଙ୍କାବଙ୍କା ରାସ୍ତା, ଦୁର୍ଘଟଣାର କାରଣ ହୋଇପାରେ । ଅନ୍ୟ ପକ୍ଷରେ ଫ୍ଲାଏ ଓଭର ଉପରେ ଗତି ନିୟନ୍ତ୍ରକ ବ୍ୟବସ୍ଥା ନଥିବାବେଳେ, ସର୍ଭେଲାନ୍ସ କ୍ୟାମେରା ମଧ୍ୟ ଲଗାଯାଇ ନାହିଁ । ବେପରୁଆ ଗାଡି ଚାଳକଙ୍କ ଗତି ନିୟନ୍ତ୍ରଣ କରା ନ ଗଲେ ଭବିଷ୍ୟତରେ ଫ୍ଲାଏ ଓଭର ଉପରୁ ଗାଡ଼ି ଖସିପଡ଼ିବାର ମଧ୍ୟ ସମ୍ଭାବନା ରହିଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାପାଇଁ ଯୋଡାର ଜନସାଧାରଣ ଦାବି କରିଛନ୍ତି ।
