କେନ୍ଦୁଝରଜିଲ୍ଲାରାଜନୀତିରାଜ୍ୟ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ସମସ୍ତଙ୍କୁ ପଛରେ ପକାଇ ବାଜି ମାରିନେଲେ ସନାତନ ।

ଚମ୍ପୁଆ/୨୦/୦୪ – ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସମସ୍ତଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ସନାତନ । ବିଜେଡି ଟିକେଟ ହାତେଇବାରେ ସଫଳ ହୋଇଛନ୍ତି ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ । ସିଟିଂ ଏମଏଲଏ ମିନାକ୍ଷୀ ମହନ୍ତଙ୍କ ଟିକେଟ କାଟି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ତାଙ୍କୁ ଚମ୍ପୁଆ ବିଧାନସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି । ଏ ନେଇ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ନାଁ ଘୋଷଣା କରିଛନ୍ତି । 

କେନ୍ଦୁଝର ଜିଲ୍ଲା ରାଜନୀତିରେ ଦବଦବା ରଖୁଥିବା ସନାତନ ମହାକୁଡ଼ କଂଗ୍ରେସ ଦଳ ଛାଡିବା ପରେ ୨୦୧୪ ରେ ଚମ୍ପୁଆ ଆସନରୁ ସ୍ଵାଧୀନ ଭାବରେ ନିର୍ବାଚନ ଲଢି ବିଧାୟକ ହୋଇଥିଲେ । ୨୦୧୬ ମସିହାରେ ସେ ଜନ ସମୃଦ୍ଧି ପାର୍ଟି ନାଁ ରେ ଏକ ରାଜନୈତିକ ଦଳ ମଧ୍ୟ ଗଢିଥିଲେ । ମାତ୍ର ପରିସ୍ଥିତି ଏପରି ହେଲା ଯେ, ସେ ନିଜ ଦଳରୁ ଇସ୍ତଫା ଦେବାପରେ ଦଳ ଭାଙ୍ଗି ଯାଇଥିଲା ।

ଗତ ୨୦୧୯ ନିର୍ବାଚନରେ ରାଜନୈତିକ ପାଣିପାଗ ପୁରା ବଦଳି ଯାଇଥିଲା । ସନାତନ ଏହି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର କୌଣସି ଅବକାଶ ନଥିଲା । ମଇଦାନରେ ନିଜେ ଅବତୀର୍ଣ୍ଣ ହୋଇ ନଥିଲେ ବି ତାଙ୍କର ପସନ୍ଦର ଦୁଇଜଣ ମହିଳା ପ୍ରାର୍ଥୀ, କେନ୍ଦୁଝର ଲୋକସଭା ଆସନରୁ ଚନ୍ଦ୍ରାଣୀ ମୁର୍ମୁ ଏବଂ ଚମ୍ପୁଆ ବିଧାନ ସଭା କ୍ଷେତ୍ରରୁ ମିନାକ୍ଷୀ ମହାନ୍ତଙ୍କୁ ବିଜେଡି ଦଳୀୟ ଟିକେଟ ଦେଇଥିଲା । ସେତେବେଳେ ସନାତନ ଏମାନଙ୍କ ସମର୍ଥନରେ ଯୋରଦାର ପ୍ରଚାର କରିବା ସହ ରାତି ଦିନ ଏକ କରି ଉଭୟଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ଧିରେ ଧିରେ ବହୁତ୍ କିଛି ବଦଳି ଯାଇଥିଲା ।

ଏଥର ଅର୍ଥାତ୍ ୨୦୨୪ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ସନାତନଏକ ପ୍ରକାର ନିଶ୍ଚିତ କରିସାରିଥିଲେ । ତେବେ ସେ କେଉଁ ଦଳରୁ ଛିଡ଼ା ହେବେ ତାହାକୁ ନେଇ ରହସ୍ୟ ଘନେଇବାରେ ଲାଗିଥିଲା । ବିଜେଡି, ବିଜେପି, କଂଗ୍ରେସ ନା ସ୍ଵାଧୀନ । କର୍ମୀଙ୍କ ଠାରୁ ଜନତା ସମସ୍ତେ ଦ୍ୱନ୍ଦ୍ୱ ଭିତରେ ରହିଥିଲେ । ଶେଷରେ ଆଜି ସମସ୍ତ କଳ୍ପନା କଳ୍ପନା ଉପରେ ବିରାମ ଲାଗିଛି । ସନାତନ ଶଙ୍ଖ ଚିହ୍ନରେ ପ୍ରତିଦ୍ବନ୍ଦିତା କରିବା ନେଇ ସ୍ପଷ୍ଟ ହୋଇଛି ।

ସେପଟେ ଚମ୍ପୁଆ ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସାଂସଦ ଯଶୋବନ୍ତ ଲାଗୁରୀ । ବିଜେପି ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ପୂର୍ବରୁ ୨୦୦୯ ଓ ୨୦୧୯ ରେ ଦୁଇଥର ବିଜେପି ଟିକଟରୁ ପ୍ରାର୍ଥୀ ହୋଇଥିଲେ ମୁରଲୀ ଶର୍ମା । ହେଲେ ଦୁଇ ଥର ଯାକ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ଏଥର ପୁଣି ତାଙ୍କ ନାଁ ଆଗରେ ଥିଲାବେଳେ, ବିଜେପି କାହାକୁ ପ୍ରାର୍ଥୀ କରିବ ତାହା ଦଳ ଘୋଷଣା କରିବା ପରେ ସ୍ପଷ୍ଟ ହେବ । ଅନ୍ୟପଟେ ଚମ୍ପୁଆ ବିଧାନସଭା କ୍ଷେତ୍ରରେ କଂଗ୍ରେସର ସ୍ଥିତି ନ କହିଲେ ଭଲ । ଗତ ନିର୍ବାଚନର ଫଳାଫଳକୁ ଯଦି ଦେଖିବା କଂଗ୍ରେସ ବହୁ ପଛରେ । ତଥାପି କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଦଳ ଆଶା ରଖିଛି ।

Show More

Related Articles

Back to top button