
ଯୋଡ଼ା/ବଡ଼ବିଲ/୧୭/୦୪ – ବୁଧବାର ପବିତ୍ର ଶ୍ରୀରାମ ନବମୀ ଉତ୍ସବ ସାରା ଦେଶରେ ଧୁମ୍ଧାମ୍ରେ ପାଳିତ ହୋଇଥିବା ବେଳେ, ବଡ଼ବିଲ ଏବଂ ଯୋଡ଼ା ସହରରେ ଶାନ୍ତି ଶୃଙ୍ଖଳାର ସହିତ ପାରମ୍ପାରିକ ଆଖଡ଼ା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ବଡ଼ବିଲ ପଞ୍ଚମୁଖୀ ହନୁମାନ ମନ୍ଦିର ଠାରୁ ବାହାରିଥିବା ଏହି ଶୋଭାଯାତ୍ରାରେ ବଡ଼ବିଲ ଅଂଚଳର ୧୪ଟି ଆଖଡ଼ା ସଂଗଠନ ସାମିଲ ହୋଇ ନିଜ ନିଜର କଳା କୌଶଳ ପ୍ରଦର୍ଶନ କରିଥିଲେ । ସେହିପରି ଯୋଡ଼ା ସହରରେ କଡ଼ା ସୁରକ୍ଷା ମଧ୍ୟରେ ଝଣ୍ଡା ଶୋଭାଯାତ୍ରା ସହର ପରିକ୍ରମା କରିଛି । ଯୋଡ଼ା ହନୁମାନ ମନ୍ଦିରରୁ ବାହାରିଥିବା ଏହି ଶୋଭାଯାତ୍ରାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଏଥର ପାରମ୍ପାରିକ ଲାଠି ଖେଳକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ କାଁ ଭାଁ ଖଣ୍ଡା, ଭୁଜାଲୀ ଧରି ଥିବାର ଦେଖିବାକୁ ମିଳିଥିଲା । ବିଶେଷ କରି ଛୋଟ ଓ କିଶୋର ବୟସର ପିଲାମାନେ ଏବଂ ମହିଳାମାନେ ଚମତ୍କାର ଲାଠି ଖେଳ ପ୍ରଦର୍ଶନ କରିଥିଲେ । ଚିତାକର୍ଷକ ଲାଠି ଖେଳ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ନାମ ସଙ୍କୀର୍ତ୍ତନ ସାଙ୍ଗକୁ ଢୋଲ ତାସା ଆଉ ଡି ଜେ ର ତାଳରେ ପ୍ରକମ୍ପିତ ହୋଇ ଉଠିଥିଲା ପୁରା ପରିବେଶ । ଚାରିଆଡେ ଶୁଭୁଥିଲା ଜୟ ଶ୍ରୀରାମ ଧ୍ୱନି । ହଜାର ହଜାର ସଂଖ୍ୟାରେ ଲୋକେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଦୁଇଟିଯାକ ସହରରେ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
