କେନ୍ଦୁଝରଜିଲ୍ଲା

ଶ୍ରୀରାମ ନବମୀ ଉତ୍ସବ ଶାନ୍ତି ଶୃଙ୍ଖଳା ସହ ପାଳନ ପାଇଁ ଯୋଡ଼ା-ବଡ଼ବିଲରେ ପୋଲିସର ଫ୍ଳାଗ୍ ମାର୍ଚ୍ଚ  ।

ଯୋଡା/ବଡ଼ବିଲ/୧୬/୦୪ – ଯୋଡ଼ା ସହରରେ ପବିତ୍ର ଶ୍ରୀରାମ ନବମୀ ନିମନ୍ତେ ଶାନ୍ତି ଶୃଙ୍ଖଳା ପାଇଁ ୧୪ ପ୍ଲାଟୁନ୍ ପୋଲିସ ବଳଙ୍କୁ ମୁତୟନ କରାଯାଇଛି । ବୁଧବାର ଶ୍ରୀରାମ ନବମୀ ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ପୂର୍ବାହ୍ନରେ ଓ ଅପରାହ୍ନ ଦୁଇଓଳି ସହରରେ ପୋଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ସୂଚନା ଯୋଗ୍ୟ, ଦୁଇ ବର୍ଷ ପୂର୍ବେ ରାମନବମୀ ଉତ୍ସବରେ ଶ୍ରୀରାମ ଝଣ୍ଡା ସ୍ଥାପନକୁ କେନ୍ଦ୍ର କରି ଉଭୟ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ପରିସ୍ଥିତି ନିୟନ୍ତ୍ରଣ ପାଇଁ କେନ୍ଦୁଝର ଜିଲ୍ଲାର ଇଣ୍ଟରନେଟ ସେବା ମଧ୍ୟ ବିଚ୍ଛିନ୍ନ କରାଯାଇଥିଲା । ପୋଲିସକୁ ମାସେ କାଳ ପରିସ୍ଥିତି ଶାନ୍ତ ହେବା ପର୍ଯ୍ୟନ୍ତ ନାକେଦମ୍ ହେବାକୁ ପଡିଥିଲା । ଏହାକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ପୋଲିସ ପକ୍ଷରୁ ଯୋଡ଼ା ସହରରେ ଫ୍ଲାଗ ମାର୍ଚ୍ଚ କରାଯାଇଛିି ।

ଏହି ଫ୍ଲାଗ ମାର୍ଚ୍ଚ ଯୋଡ଼ା ଥାନା ଠାରୁ ବାହାରି ସିନେମା ହଲ ଛକ, କୁନ୍ଦୁରୁନାଲା, ଯୋଡା ମାର୍କେଟ ସହ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି । ମଙ୍ଗଳବାର ସଂଧ୍ୟାରେ ଆରକ୍ଷୀ ଅଧୀକ୍ଷକ ନୀତିନ କୁଶଲକର ଦାଗଡୁ ପ୍ରତ୍ୟକ୍ଷଭାବେ ଯୋଡା ଥାନାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ ଉଭୟ ସଂପ୍ରଦାୟର ମୂରବୀ ଶ୍ରେଣୀୟ ଲୋକ, ମନ୍ଦିର ପରିଚାଳନା କମିଟି ସଦସ୍ୟ, ବିଭିନ୍ନ ମସଜିଦ କମିଟି ମୁଖ୍ୟଙ୍କୁ ନେଇ ଏକ ବୈଠକ କରିବା ସହ ଅଞ୍ଚଳ ପରିଦର୍ଶନ କରିଛନ୍ତି।

ସେପଟେ ବଡ଼ବିଲ ଥାନାଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ସହର ମୁଖ୍ୟ ରାସ୍ତାରେ ଫ୍ଲାଗ ମାର୍ଚ୍ଚ କରିଛି । ବଡବିଲ ଥାନା ଇନ୍ସପେକ୍ଟର ରମାକାନ୍ତ ମୁଦୁଲିଙ୍କ ନେତୃତ୍ବରେ ପୋଲିସ ଫୋର୍ସ ସହରର ମୁଖ୍ୟ ରାସ୍ତା ଦେଇ ଫ୍ଲାଗ ମାର୍ଚ୍ଚ କରିବା ସହ ସମସ୍ତ ମୁଖ୍ୟ ହନୁମାନ ମନ୍ଦିର ଓ  ଆଖଡ଼ା ଗୁଡ଼ିକୁ ବୁଲି ଦେଖିଥିବା ଜଣାପଡିଛି। ଫ୍ଲାଗ ମାର୍ଚ୍ଚରେ ମୋଟ ୨୦ ଜଣ ପୋଲିସ ଅଧିକାରୀଙ୍କ ସହ ୧୦ ପ୍ଲାଟୁନ ଫୋର୍ସ ରହିଥିବା ଇନ୍ସପେକ୍ଟର ମୁଦୁଲି ସୂଚନା ଦେଇଛନ୍ତି ।

ଶ୍ରୀରାମ ନବମୀ ଉତ୍ସବ ନିମନ୍ତେ ବିଭିନ୍ନ ହନୁମାନ ମନ୍ଦିର, ଆଖଡାଶାଳ, ଛକ ସ୍ଥାନ ମାନଙ୍କରେ ଏବଂ ହେବାକୁଥିବା ଶୋଭାଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ମୁତୟନ ରହିବେ। ଗତ ୧୨ ତାରିଖରେ କେନ୍ଦୁଝର ଏସପିଙ୍କ ଉପସ୍ଥିତିରେ ବଡ଼ବିଲ ଥାନାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ସହରରେ ଭାଇଚାରା ବଜାୟ ରଖିବାକୁ ଏସପି ନିତିନ୍ କୁଶଲକର ଦାଗଡୁ ନିବେଦନ କରିଥିଲେ ।

Show More

Related Articles

Back to top button