
କେନ୍ଦୁଝର/୧୬/୦୪ – ଜଣକୁ ଧକ୍କା ଦେଇ ଟ୍ରକଟି ପଳାଇ ଯିବା ସମୟରେ ରସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ଆଉ ଦୁଇ ଜଣଙ୍କ ଉପରେ ଚଢ଼ିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି ।
କେନ୍ଦୁଝର ଟାଉନ୍ ଥାନ ଧୂର୍ପଦା ନିକଟ ୨୦ ନଂ ଜାତୀୟ ରାଜପଥରେ ଏହି ସିରିଜ ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଟ୍ରକଟି ପ୍ରଥମେ ତାପସ ନାଏକ ନାମକ ଜଣେ କିନ୍ନରଙ୍କୁ ଧକ୍କା ଦେଇ ପଳାଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ କିଛି ଦୁରତାରେ ଏକ ଦୋକାନ ପାଖରେ ଠିଆ ହୋଇଥିବା ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଯାଇଥିଲା ଏବଂ ବାଇକ୍ ଆରୋହୀଙ୍କୁ ପାଖାପାଖି ୫୦ ମିଟର ଘୋଷାରୀ ନେଇଥିଲା । ଯାହାଫଳରେ ବାଇକ୍ରେ ନିଆଁ ଲାଗି ଜଳିଯାଇଥିଲା ଏବଂ ରରୁଆଁ ଥାନା ଅଞ୍ଚଳର ଲାଲମୋହନ ବେହେରା ନାମକ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ବାପି ବେହେରା ନାମକ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ଆହତ ଯୁବକଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଓ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ମୃତ କିନ୍ନର ତାପସଙ୍କ ଘର ହିନ୍ଦୋଳ ଥାନା ଅଞ୍ଚଳରେ ବୋଲି କୁହାଯାଉଛି । ପୋଲିସ ଘଟଣାସ୍ଥଳରେ ପହଁଚି ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ।