
ଯାଜପୁର/୧୫/୦୪ – ଏନ୍ଏଚ୍-୧୬ ଯାଜପୁର, ବାରବାଟୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍। କାଳିଆ ନନା ନାମକ ବସ୍ଟି ପୁରୀରୁ ହଳଦିଆ ଅଭିମୁଖେ ଯାଉଥିଲା ବେଳେ ରାତି ପ୍ରାୟ ସାଢେ଼ ୮ ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଓଭର ବ୍ରିଜର ବାଡ଼ାରେ ପିଟି ହେବାପରେ ୧୫ ରୁ ୨୦ ଫୁଟ୍ ତଳକୁ ବସଟି ଓଲଟି ପଡ଼ିଥିବା ସୂଚନା ରହିଛି । ଦୁର୍ଘଟଣାରେ ଏବେ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ସେମାନଙ୍କ ମଧ୍ୟରେ ଚାରିଜଣ ପୁରୁଷ ଏବଂ ଜଣେ ମହିଳା ରହିଛନ୍ତି । ଏଥିରେ ପାଖାପାଖି ୩୫ରୁ ଅଧିକ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହାୟତା କରିଛନ୍ତି । ଆହତମାନଙ୍କୁ ପ୍ରଥମେ ଧର୍ମଶାଳା ମେଡିକାଲକୁ ନିଆ ଯାଇଛି । ସେମାନଙ୍କ ମଧ୍ୟରୁ ଯେଉଁ ମାନଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ତେବେ କେଉଁଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ। କୁହାଯାଉଛି ଯାତ୍ରୀବାହୀ ବସର ସ୍ପିଡ ଅଧିକ ଥିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଯାହାଫଳରେ ଓଭରବ୍ରିଜ୍ର ତଳକୁ ଖସିପଡିଥିଲା ।
ଏହି ଘଟଣା ପରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଏବଂ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଚିକତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।
