
ବଡ଼ବିଲ/୧୫/୦୪ – ବଡ଼ବିଲ ଐକ୍ୟକ୍ଷେତ୍ର, ଶ୍ରୀମଣ୍ଡପ ଠାରେ ଓଡ଼ିଆ ନବବର୍ଷ ତଥା ମହା ବିଷୁବ ପଣା ସଂକ୍ରାନ୍ତି ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ‘ଶୈଳଜା ବିଷୁବ ସଂସ୍କୃତି’ ଆନୁକୁଲ୍ୟରେ ଏନେଇ ବିଶେଷ ଆୟୋଜନ କରାଯାଇଥିଲା । ଉତ୍ସବର ସାନ୍ଧ୍ୟ ସଭାରେ ପ୍ରାଧ୍ୟାପକ ପ୍ରତାପ କୁମାର ଜେନାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବନମାଳୀ ଜେନା ଏବଂ ମୁଖ୍ୟବକ୍ତା ଭାବରେ ଓଡ଼ିଆ ବିଭାଗର ଅଧ୍ୟାପକ ଡ. ଅସିତ ପ୍ରଧାନ ଯୋଗଦେଇଥିଲେ । ଓଡ଼ିଆ ନବ ବର୍ଷ ଏବଂ ମହା ବିଷୁବ ପଣା ସଂକ୍ରାନ୍ତି ପାଳନର ପଛରେ ଥିବା ଆଧ୍ୟାତ୍ମିକ ସାମାଜିକ ତଥା ବୈଜ୍ଞାନିକ କାରଣ ସମ୍ପର୍କରେ ଆମନ୍ତ୍ରିତ ଅତିଥିଗଣ ଆଲୋକପାତ କରିଥିଲେ ।

ସମାଜସେବୀ ବିଜୟ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ବହୁ ବିଶିଷ୍ଟ ଅତିଥି, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକଙ୍କ ସମେତ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ହୋଇଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଅଂଚଳର ବରିଷ୍ଠ ଫାର୍ମାସିଷ୍ଟ ସରୋଜକାନ୍ତ ବେହେରାଙ୍କୁ ‘ନାଗରିକ ସମ୍ମାନ – ୨୦୨୪’ ରେ ସମ୍ମାନିତ କରାଯାଇଥିଲା । ପରେ ପରେ ପରମ୍ପରା ଅନୁଯାୟୀ, ପ୍ରଥମ ପଣା ଗ୍ଲାସକୁ ନିଲାମ ଡକାଯାଇଥିଲା । ୮ ନଂ ୱାର୍ଡ଼ କାଉନସିଲର ଗୁରୁ ପ୍ରସାଦ ମହାନ୍ତ ୨୫ ହଜାର ଟଙ୍କାରେ ପଣା ଗ୍ଲାସକୁ ନିଲାମରେ ନେଇଥିଲେ । ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା । ଏଥିସହ ପ୍ରସ୍ତୁତ ହୋଇଥିବା ସୁସ୍ୱାଦୁ ପଣା ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା । ଶେଷରେ ସମ୍ବଲପୁରରୁ ଆସିଥିବା କଳାକାରମାନଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଲୋକେ ଏହାକୁ ମନଭରି ଉପଭୋଗ କରିଥିଲେ ।
