ଅପରାଧରାଜ୍ୟ

ବାଟରେ ବିକିଦେଲେ ୧୭ ଲକ୍ଷ ଟଙ୍କାର ଲୁହାଛଡ଼ । ଝାଡ଼ଖଣ୍ଡରୁ ଗାଡ଼ି ମାଲିକ ସମେତ ଦୁଇ ଗିରଫ ।

ଟ୍ରେଲର, ମିନି ଟ୍ରକ ଓ ଦେଢ଼ ଲକ୍ଷ ଟଙ୍କା ଜବତ୍ ।

ବଡ଼ବିଲ/୧୩/୦୩ – ୧୭ ଲକ୍ଷ ଟଙ୍କାର ଲୁହାଛଡ଼କୁ ଗନ୍ତବ୍ୟ ସ୍ଥଳରେ ନ ପହଞ୍ଚାଇ ବାଟରେ ବିକିଦେଲେ ଗାଡ଼ି ମାଲିକ । ଏଭଳି ଅଭିଯୋଗ ହେବାପରେ ବଡ଼ବିଲ ପୋଲିସ୍ ଘଟଣାର ତଦନ୍ତ କରି ପର୍ଦ୍ଦାଫାସ କରିବା ସହ  ଦୁଇଜଣକୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ, ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳର ମିନି ଟ୍ରକ୍ ମାଲିକ ତଥା ଡ୍ରାଇଭର ରାଜେନ୍ଦ୍ର ରାଣା ଓ ଆଦିତ୍ୟପୁର ଥାନା ଧୀରଜଗଞ୍ଜର ରଂଜିତ କୁମାର ସିହ୍ନା ।

ପୋଲିସ୍ ଏମାନଙ୍କ ଠାରୁ ପରିବହନରେ ନିୟୋଜିତ ଗୋଟିଏ ଟ୍ରେଲର, ଗୋଟିଏ ମିନି ଟ୍ରକ, ୧୦ ଟନ୍‌ ଲୁହାଛଡ଼ ଓ ନଗଦ ଦେଢ଼ଲକ୍ଷ ଟଙ୍କା ଜବତ କରିଛି ।  ସୂଚନା ଅନୁସାରେ, ଗତ ୪ ତାରିଖରେ ବଡ଼ବିଲସ୍ଥିତ ରୁଙ୍ଗଟା ସ୍ପଞ୍ଜ ପ୍ଲାଣ୍ଟରୁ ଏକ ପରିବହନ ସଂସ୍ଥା ମାଧ୍ୟମରେ  ୩୪ ଟନ୍ ଲୁହାଛଡ଼ ବୋଝେଇ କରି ସମ୍ପୃକ୍ତ ଟ୍ରେଲାରଟି  ଉତ୍ତରପ୍ରଦେଶର କାନପୁର ପାଇଁ ବାହାରିଥିଲା । ତେବେ ୯ ତାରିଖ ସୁଦ୍ଧା ନିର୍ଦ୍ଧାରିତ ସ୍ଥାନରେ ଛଡ଼ ବୋଝେଇ ଟ୍ରେଲର ନ ପହଞ୍ଚିବାରୁ ଏନେଇ ପରିବହନକାରୀ ସଂସ୍ଥା ପକ୍ଷରୁ ୧୦ ତାରିଖରେ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା।

ପୋଲିସ୍ ଘଟଣାର ତଦନ୍ତ କରି ଝାଡ଼ଖଣ୍ଡ ଜାମସେଦପୁର ଅଞ୍ଚଳରୁ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ତେବେ ସେତେବେଳକୁ ରାଜେନ୍ଦ୍ର ରାଣା ଓ ରଂଜିତ କୁମାର ସିହ୍ନା ୨୪ ଟନ୍ ଲୁହାଛଡ଼ ବିକ୍ରି କରିବା ସହ ଟ୍ରେଲର ଡାଲାକୁ ମଧ୍ୟ କାଟିପକାଇଥିଲେ । ଅବଶିଷ୍ଟ ୧୦ ଟନ୍ ଲୁହାଛଡ଼କୁ ଏକ ମିନି ଟ୍ରକରେ ବୋଝେଇ କରି ଅନ୍ୟତ୍ର ନେବାକୁ ଉଦ୍ୟମ କରୁଥିଲାବେଳେ, ମାଡ଼ିବସିଥିଲା ପୋଲିସ୍ ଟିମ୍ । ତେବେ ଟ୍ରେଲର ଡ୍ରାଇଭର ଉମେଶ ଯାଦବ ସମ୍ପର୍କରେ କିଛି ସୂଚନା ମିଳି ନ ଥିବା ବେଳେ ଏହି ଚୋରା କାରବାରରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ୍ କହିଛି।

Show More

Related Articles

Back to top button