
ବଡ଼ବିଲ/୦୯/୦୪ – ବଡ଼ବିଲ ପୋଲିସକୁ ସଫଳତା । ସୋମବାର ବିଳମ୍ବିତ ରାତିରେ ବଡ଼ବିଲ ଶ୍ରୀରାମ ନଗର ଅଞ୍ଚଳରୁ ଚୋରୀ ହୋଇଥିବା ଏକ ବୋଲେରୋ ଗାଡ଼ିକୁ ଝାରଖଣ୍ଡ ନୂଆମୁଣ୍ଡି ଅଞ୍ଚଳରୁ ଧରିବାରେ ସକ୍ଷମ ହୋଇଛି ବଡ଼ବିଲ ପୋଲିସ୍ । ଏଥିସହ ଘଟଣାରେ ସଂପୃକ୍ତ ସେଡିଂ ଅଞ୍ଚଳର ସୁଦର୍ଶନ ଦାସ ନାମକ ଜଣେ ଯୁବକକୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପୋଲିସ୍ ।
ସୂଚନା ଅନୁସାରେ, ସୋମବାର ମଧ୍ୟ ରାତ୍ରୀରେ ଶ୍ରୀରାମ ନଗର ଅଞ୍ଚଳରୁ ଓ ଆର୍ ୦୨ ଏ ଏସ ୧୬୧୬ ନଂ ଧଳା ବୋଲେରୋ ଏସଏଲ୍ଏକ୍ସ୍ ଗାଡ଼ିକୁ କେହି ଚୋରୀ କରି ପଳାଇଥିବା ନେଇ ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣାକୁ ଗୁରୁତ୍ଵ ଦେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲା । ପୋଲିସର ତିନୋଟି ପୃଥକ ଟିମ୍ ତୁରନ୍ତ ତିନୋଟି ରୁଟରେ, ରୁଗୁଡି, ଯୋଡ଼ା ଓ ନୂଆମୁଣ୍ଡି ରାସ୍ତାରେ ଖୋଜା ଖୋଜି କରିଥିଲେ । ତେବେ ନୂଆମୁଣ୍ଡି ରୁଟରେ ଯାଇଥିବା ପୋଲିସ ଟିମ୍ ଗାଡ଼ିଟିକୁ ଗୋଡ଼େଇ ଧରିବାରେ ସଫଳ ହୋଇଥିଲେ । ବୋଲେରୋକୁ ଉଦ୍ଧାର କରି ବଡ଼ବିଲ ଆଣିବା ସହ ଅଭିଯୁକ୍ତ ସୁଦର୍ଶନ ଦାସକୁ ଗିରଫ୍ କରିଥିଲା ପୋଲିସ୍।
