
ଯୋଡା/୦୮ା୦୪ – ଅତ୍ୟାଧୁନିକ ଜ୍ଞାନ କୌଶଳ ଯୁଗରେ ସ୍ମାର୍ଟ ଫୋନ୍ ଲୋକଙ୍କ ପାଇଁ ସବୁଠାରୁ ଜରୁରୀ ହୋଇପଡ଼ିଛି । ମୋବାଇଲ ଫୋନ ବିନା ମୁହୁର୍ତ୍ତେ ବି କାଟିବା ଅସମ୍ଭବ ହୋଇପଡିଲାଣି । ପିଲା ଠାରୁ ବୁଢ଼ା ଦିନର ଅଧିକାଂଶ ସମୟ ମୋବାଇଲ ପଛରେ ଦେଉଛନ୍ତି । ଦିନକୁ ଏକାଧିକ ଥର ଚାର୍ଜ କରି ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ଚଲାଇବା ଅନେକଙ୍କ ଅଭ୍ୟାସ ହୋଇ ଗଲାଣି । ଆମେ ଆପଣଙ୍କୁ କହିରଖୁଛୁ ଯେ, ବେଳେ ବେଳେ ଏହି ମୋବାଇଲ ଫୋନ୍ ଆମପାଇଁ ବିପଦ ସାବ୍ୟସ୍ତ ହୋଇଥାଏ । ନିକଟରେ ଉତ୍ତର ପ୍ରଦେଶ ମେରଟ୍ ରେ ଏକ ମୋବାଇଲ୍ ଫାଟିବା ଯୋଗୁଁ ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ଶିଶୁଙ୍କ ମୃତ୍ୟୁ ଘଟିଥିଲା ବେଳେ, ବାପା ଏବଂ ମାଆ ଗୁରୁତର ଆହତ ହୋଇଥିଲେ ।
ଏବେ ଯୋଡା ଅଞ୍ଚଳରେ ଏକ ମୋବାଇଲ ଫାଟି ଜଣେ ଯୁବକ ଗୁରୁତର ହୋଇଥିବା ଘଟଣା ସାମ୍ନାକୁ ଆସିଛି ।
ଗୁରୁତର ଆହତ ହୋଇଥିବା ଯୁବକ ଜଣଙ୍କୁ ଯୋଡ଼ା ସ୍ଥିତ ଟାଟା ମେନ୍ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏହି ଯୁବକ ଜଣଙ୍କ ହେଲେ, ଯୋଡା ପୌରାଞ୍ଚଳର ୧୪ନଂ ୱାର୍ଡ ବିଚାକୁଣ୍ଡି ଅଞ୍ଚଳର ବିଷ୍ଣୁ ମହାନ୍ତ । ସେ ତାଙ୍କର ଭିଭୋ ସ୍ମାର୍ଟ ଫୋନକୁ ପିନ୍ଧିଥିବା ପ୍ୟାଣ୍ଟ୍ ପକେଟରେ ରଖିଥିଲେ । ତେବେ ଅଚାନକ ଭାବେ ଫୋନଟି ଅତ୍ୟଧିକ ଉତପ୍ତ (ହିଟ୍)ହେବା ସହ ଫାଟିଯାଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କ ଜଙ୍ଘରେ ଗଭୀର ଆଘାତ ଲାଗିଥିଲା । ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଏହି ଘଟଣା ଏବେ ଯୋଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
